Categories
ଆଜିର ଖବର ରାଜ୍ୟ ଖବର

ଅଶ୍ବିନୀ ବୈଷ୍ଣବଙ୍କ ଏମପି ଲ୍ୟ।ଡ଼ ପାଣ୍ଠିରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ଵର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ ମାସ ୨୦ ଏବଂ ୨୧ତାରିଖରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଏବଂ ବେସରକାରୀ ସଂସ୍ଥା (ଏନଜିଓ) ମାନଙ୍କର ସଦସ୍ୟଙ୍କୁ ଭେଟିଥିଲେ। ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନେ କରିଥିବା ଉଦ୍ୟମକୁ ଶ୍ରୀ ବୈଷ୍ଣବ ପ୍ରଶଂସା କରିଥିଲେ। ସ୍ଥାନୀୟ ବାସିନ୍ଦା ମାନ୍ୟବର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଏହି ଅଞ୍ଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ଏବଂ ଏହି ଅଞ୍ଚଳର ଉପଯୁକ୍ତ ଆଲୋକ ବ୍ୟବସ୍ଥା ଏବଂ ରାତ୍ରି ସମୟରେ ଦୃଶ୍ୟମାନ ପାଇଁ ଫ୍ଲଡ ଲାଇଟ ବ୍ୟବସ୍ଥା ସହିତ ୨ ଟି ହାଇ ମାସ୍ଟ ଲାଇଟ ପ୍ରଦାନ କରିବା ବାବଦରେ ଅର୍ଥ ବରାଦ କରାଯାଇଛି। ଏହି ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ହ୍ୟୁମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଜୋରସୋରରେ ଚାଲିଛି। ଟ୍ରେଞ୍ଚିଂ କାର୍ଯ୍ୟ ହୋଇସାରିଛି ଏବଂ କାର୍ଯ୍ୟ ସ୍ଥଳରେ ନିର୍ମାଣ ସାମଗ୍ରୀ ଉପଲବ୍ଧ ଅଛି ଏବଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ମାନ୍ୟବର ରେଳ ମନ୍ତ୍ରୀ ଏହି ବିକାଶମୂଳକ କାର୍ଯ୍ୟର ଯୁଦ୍ଧ କାଳୀନ ଭିତ୍ତିରେ ସମାପ୍ତି ସମ୍ବନ୍ଧରେ ଗୁରୁତ୍ୱ ଦେଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି ଲ୍ୟ।ଡ଼ ଯୋଜନା ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଯାହାକି ପାଣ୍ଠିର ଏକ ବିଶାଳ ଅଂଶ ଅଟେ। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ରେଳ ମନ୍ତ୍ରୀ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବାହାନାଗା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧ କୋଟି, ଯେଉଁଥିରେ କମ୍ୟୁନିଟି ସେଣ୍ଟର ଏବଂ ହଲ୍ ସହିତ ସୌଚାଳୟ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଇବା, ବାସୁଳି ହାଇସ୍କୁଲ ନିକଟରେ ଶିଶୁ ପାର୍କ ଏବଂ ଜିମ୍ ନିର୍ମାଣ, ଜାତୀୟ ରାଜପଥ-୧୬ ରୁ ୯୫ ନମ୍ବର ଲେବଲ କ୍ରସିଂ ପର୍ଯ୍ୟନ୍ତ ସଂଯୋଗକରି ରାସ୍ତାର ସମ୍ପ୍ରସାରଣ ଓ ମଜବୁତ କରିବା ସାଥି ଠାରେ ସରତିରା ଗ୍ରାମ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡିଆର ଉନ୍ନତି ଏବଂ ୪୨ ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଇତ୍ୟାଦିର ପ୍ରତିଶୃତି ପୂରଣ କରିବା ପାଇଁ ସେ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାଇଁ ଉନ୍ନତ ଜୀବନ ସହାୟତା (ALS) ଆମ୍ବୁଲାନ୍ସ କ୍ରୟ ପାଇଁ ୩୫ ଲକ୍ଷ ଏବଂ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ଗୋଟିଏ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୨୦ ଲକ୍ଷ ଟଙ୍କା ଶ୍ରୀ ବୈଷ୍ଣବଙ୍କ ଦ୍ୱାରା ମଞ୍ଜୁର କରାଯାଇଛି।

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପଦକ୍ଷେପ ଏବଂ ନିରନ୍ତର ତଦାରଖ ସହିତ ଉପରୋକ୍ତ ପ୍ରକଳ୍ପଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଦୁର୍ଘଟଣା ସ୍ଥଳ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ‘ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା। ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ ପ୍ରଭାବିତ ତଥା ଉଦ୍ଧାରକାରୀ ଦଳଗୁଡିକର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ତତ୍‍କ୍ଷଣାତ ଫେସ୍‍ ମାସ୍କ, ସର୍ଜିକାଲ ଗ୍ଲୋଭ୍‍ସ୍‍, ବେଡସିଟ୍‍, ଔଷଧ, ପାନୀୟ ଜଳ ଓ ଖାଦ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦୁର୍ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ଦୁର୍ଘଟଣାରେ ପ୍ରଭାବିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍‍ ସ୍ୱଳ୍ପ ଓ ଦୀର୍ଘାବଧି ସୂତ୍ରରେ ୧୦ ସୂତ୍ରୀ ରିଲିଫ ଯୋଜନା ଘୋଷଣା କରିଥିଲା।

ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରୀକାଳୀନ ଉଦ୍ଧାର ଆଦି ସହିତ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ ନେଇ ଛାତ୍ର ଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସ୍ପଷ୍ଟ ଆଶଙ୍କା ଏବଂ ଭୟ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅବଗତ ଥିବା କେତେକ ଜନସାଧାରଣ ବିଦ୍ୟାଳୟକୁ ସେମାନଙ୍କ ପିଲାମାନଙ୍କୁ ପଠାଇବାକୁ କୁଣ୍ଠା ପ୍ରକାଶ କରିଥିଲେ।

ଏହି ପୃଷ୍ଠଭୂମିରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଏକ ତିନିଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ, ପିତାମାତା ଏବଂ ବିଦ୍ୟାଳୟର ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ଆୟୋଜନ କରାଯାଇଥିଲା। ଭୟାବହ ଦୁର୍ଘଟଣା ପରେ ପିଲାମାନେ ଓ ସେମାନଙ୍କ ପିତା ମାତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଆବଶ୍ୟକତାକୁ ଉପଲବ୍ଧି କରି ରିଲାଏନ୍ସ ଫାଉଣ୍ଡେସନ ଛାତ୍ର ଛାତ୍ରୀ, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ବାହାନଗା ବ୍ଳକ୍‍ର ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ପାଇଁ ‘ସ୍ନେହ ସୃଜନ’ ନାମରେ ଏକ ନିୟୋଜନକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବାହାନଗା ବ୍ଳକ୍‍ର ଅସିମିଲ୍ଲା, ବାହାନଗା, ଇଛାପୁର, କମାରିପୁର, ପଥରପେଣ୍ଠ ଏବଂ ସତୀ ଆଦି ଛଅଟି ଗ୍ରାମରେ ସ୍ନେହ ସୃଜନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ଚଳିତ ବର୍ଷ ଜୁନ୍‍ ୧୮ରୁ ୨୦ ତାରିଖ ମଧ୍ୟରେ ୧୮୨ ଛାତ୍ର ଛାତ୍ରୀ, ୭୨ ଜଣ ପିତା ମାତା, ପୂର୍ବତନ ଛାତ୍ର ଛାତ୍ରୀ, ଏସ୍‍ଏମସି ସଦସ୍ୟ ଏବଂ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ସ୍ୱାଭାବିକ ଢଙ୍ଗରେ ସ୍କୁଲରେ ପାଠପଢା ପୁଣି ଆରମ୍ଭ କରିବା ନିମନ୍ତେ ପିତାମାତା, ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସମସ୍ତ ସହଭାଗୀ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ।

ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମାନସିକ ଦୁସ୍ଥିତି ଦୂର କରିବା ପାଇଁ ଏହି ଅଭିଯାନ ସମୟରେ ଆର୍ଟ ଥେରାପିକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା। ପିଲାମାନଙ୍କୁ ନିୟୋଜିତ କରି ରଖିବାକୁ ଚକଟା ମାଟିରୁ ମଡେଲ ପ୍ରସ୍ତୁତି, ଚିତ୍ରାଙ୍କନ, କଳା ଓ କାରିଗରୀ, ବେଲୁନ ଖେଳ, ଗୀତ, ନୃତ୍ୟ ଆଦି ବିବିଧ କାର୍ଯ୍ୟକଳାପର ବ୍ୟବହାର କରାଯାଇଥିଲା। ମୋଟର କୁଶଳତାରେ ଉନ୍ନତି ଆଣିବା, ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଅଣଦେଖା କରିବା, ମନରୁ ଭୟ ଦୂର କରିବା ଏବଂ ମାନସିକ ଚାପ ସମୟରେ ପିତା ମାତାଙ୍କ ପକ୍ଷରୁ ଯତ୍ନ ନିଆଯିବା ସକାଶେ ଏହି ସମସ୍ତ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।

ପରିଶେଷରେ ଏହି ଅଭିଯାନ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିପାରିଥିଲା। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧୁମିତା ଦାସ ଏବଂ ଶିଶୁ ସୁରକ୍ଷା, ଶିକ୍ଷା ଓ ବିଦ୍ୟାଳୟ ନିରାପତ୍ତା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ସାଧନ ବ୍ୟକ୍ତି ଭାବରେ କାର୍ଯ୍ୟ କରିଥିଲେ।

ବାହାନଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ୱାଇଁ, ବିଜ୍ଞାନ ସ୍ନାତକ ତଥା ଶିକ୍ଷକ ପଦ୍ମଲୋଚନ ମଲିକ, ବାହାନଗା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଖଗପତି ଜେନା ଏବଂ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଆଶିଷ କୁମାର ସାହୁ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପର ଗୁରୁତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ପ୍ରେରଣା ଦେଇଥିଲେ।