ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ ବଚସାରୁ ପତ୍ନୀଙ୍କୁ ଲୁହା ତାୱାରେ ମୁଣ୍ଡକୁ ପିଟି ହତ୍ୟା କରିଥିବା ଅଭିଯୋଗ ସ୍ୱାମୀଙ୍କ ବିରୋଧରେ ଆସିଛି। ମୃତକ ହେଲେ ବନସ୍ମିତା ସ୍ୱାଇଁ। ଅଭିଯୁକ୍ତ ସ୍ୱାମୀଙ୍କ ନାମ ସର୍ବେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାକୁ ନେଇ ଉତକ୍ଷିପ୍ତ ହୋଇ ସର୍ବେଶ୍ୱର ଏକ ଲୁହା ତାୱାରେ ବନସ୍ମିତାଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ବନସ୍ମିତାଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ଖବର ପାଇ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପୁଲିସ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ବନସ୍ମିତା ଓ ସର୍ବେଶ୍ୱର ପ୍ରାୟ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଏକ ୪ ମାସର ଶିଶୁକନ୍ୟା ମଧ୍ୟ ରହିଛି। ଏହି ଘଟଣା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


