ନୂଆଦିଲ୍ଲୀ: ଆସାମ ପୋଲିସ ଗୌହାଟିରେ CJP (କକ୍ରୋଚ୍ ଜନତା ପାର୍ଟି)ର ସହ-ପ୍ରତିଷ୍ଠାତା ଆଶୁତୋଷ ରାଙ୍କା ସମେତ ଅନେକ କର୍ମୀଙ୍କୁ ଅଟକ ରଖିଛି। ଏ ସମ୍ପର୍କରେ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ନୂତନ ବିବୃତ୍ତିରେ ଘୋଷଣା କରିଛନ୍ତି ଯେ, ସେ ଆସନ୍ତାକାଲି ଆସାମ ଯାଉଛନ୍ତି।
ଦୀପକେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, “ମୁଁ କାଲି ସକାଳେ ଆସାମ ଯାଉଛି। କାରଣ ପୋଲିସ ଏପର୍ଯ୍ୟନ୍ତ ଆଶୁଙ୍କୁ ମୁକ୍ତ କରିନାହିଁ। ଆମେ ଗିରଫ କିମ୍ବା ଜେଲର ଧମକରେ ଭୟଭୀତ ହେବୁ ନାହିଁ। ଯଦି ଆପଣ ଚାହିଁବେ ତେବେ କାଲି ବିମାନବନ୍ଦରରେ ମୋତେ ଗିରଫ କରିପାରିବେ।”
ଆଜି CJPର ସହ-ପ୍ରତିଷ୍ଠାତା ରାଙ୍କା ଏବଂ ତାଙ୍କ ଦଳକୁ ପୋଲିସ ଅଟକ ରଖିଛି। ରାଙ୍କା ସ୍କୁଲଗୁଡ଼ିକର ଅବସ୍ଥା ଏବଂ ଭୋଟର ତାଲିକା ସହିତ ଜଡିତ SIR ସମ୍ପର୍କରେ ଆସାମରେ ଅଭିଯାନ ଚଳାଇଛନ୍ତି। ରାଙ୍କାଙ୍କ ଅଟକ ପରେ CJP ନେତା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଯଦି CJP ଆସାମର ସ୍କୁଲଗୁଡ଼ିକର ବାସ୍ତବତା ପ୍ରକାଶ କରନ୍ତି, ତେବେ ସମଗ୍ର ଦେଶରେ ସତ୍ୟ ପ୍ରକାଶ ପାଇବ। ସେ କାଜିରଙ୍ଗା ସମ୍ପର୍କରେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଉଛି। ଜମି, ଜଙ୍ଗଲ ଏବଂ ପାଣି କର୍ପୋରେଟ୍ କମ୍ପାନୀଗୁଡ଼ିକୁ ଦିଆଯାଉଛି।


