କଟକ: ମହାନଦୀରେ ଜଳସ୍ତର ବୃଦ୍ଧି ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ୧୬୩ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ଜଳସ୍ତର ବୃଦ୍ଧି ହେତୁ ବିଶେଷକରି ନଦୀ ଓ ଜଳପଥରେ ଯାତାୟାତ ସମୟରେ ଅଘଟଣର ଆଶଙ୍କା ରହିଛି। ନଦୀର ସ୍ରୋତ ଓ ଜଳସ୍ତରରେ ହଠାତ୍ ପରିବର୍ତ୍ତନ ଘଟୁଥିବାରୁ ପ୍ରଶାସନ ସତର୍କତାମୂଳକ ଭାବେ ଏହି ପଦକ୍ଷେପ ନେଇଛି। ଧବଳେଶ୍ୱର ପୀଠକୁ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଥିବା ବେଳେ ବନ୍ୟା ସମୟରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ତେଣୁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପୀଠକୁ ଭକ୍ତଙ୍କ ଯାତାୟାତ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଧବଳେଶ୍ୱର ପୀଠକୁ ଦର୍ଶନ ପାଇଁ ନଯିବା ସହ ନଦୀ ଓ ଜଳପଥ ନିକଟକୁ ଅନାବଶ୍ୟକ ଭାବେ ନଯିବାକୁ ପ୍ରଶାସନ ନିବେଦନ କରିଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ମହାନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି। ଜଳସ୍ତର ହ୍ରାସ ପାଇବା ଓ ସ୍ଥିତିରେ ସୁଧାର ଆସିବା ପରେ କଟକଣା କୋହଳ କରାଯିବା ସମ୍ପର୍କରେ ପରବର୍ତ୍ତୀ ସୂଚନା ଦିଆଯିବ ବୋଲି କୁହାଯାଇଛି।


