କୋରାପୁଟ: କୋରାପୁଟ ସହରର ଶାନ୍ତି ଲଜ୍ରୁ ଏକ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ସ୍ୱାମୀ-ସ୍ତ୍ରୀ ହେଲେ ବିଜୟ ଡାକୁଆ ଏବଂ ବିଜୟଲକ୍ଷ୍ମୀ ଡାକୁଆ। ଉଭୟଙ୍କ ଘର ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳରେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ସୋମବାର ସକାଳେ ଉଭୟ ସ୍ୱାମୀ-ସ୍ତ୍ରୀ କୌଣସି ଚିକିତ୍ସା କାର୍ଯ୍ୟରେ କୋରାପୁଟ ଆସି ଶାନ୍ତି ଲଜ୍ରେ ଏକ କୋଠରୀ ଭଡ଼ା ନେଇ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ଲଜ୍ର ସେହି କୋଠରୀ ମଧ୍ୟରୁ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଲଜ୍ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲେ ହେଁ, କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଉଭୟ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିବା ସହ ଘଟଣାର ବ୍ୟାପକ ତଦନ୍ତ ଆରମ୍ଭ କରିଛି।


