ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଘଟିଯାଇଛି ଏକ ସାଂଘାତିକ ତଥା ଚାଞ୍ଚଲ୍ୟକର ଘଟଣା। ସଶସ୍ତ୍ର ଦୁର୍ବୃତ୍ତଙ୍କ ଗୁଳି ଓ ମାରଣାସ୍ତ୍ର ଆକ୍ରମଣରେ ଜଣେ ଜନ ସେବା କେନ୍ଦ୍ର (CSC) ମାଲିକଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖଜିରାପସି ଗ୍ରାମର ତ୍ରିଲୋଚନ ମହାନ୍ତ।
ସୂଚନା ଅନୁଯାୟୀ, ତ୍ରିଲୋଚନ ରାତିରେ ନିଜର ଜନ ସେବା କେନ୍ଦ୍ର ବନ୍ଦ କରି ସ୍କୁଟି ଯୋଗେ ପାଟଣା ଅଭିମୁଖେ ଯାଉଥିଲେ। ସେହି ସମୟରେ ସେ ଫୋନରେ ନିଜ ସ୍ତ୍ରୀଙ୍କ ସହ କଥା ହୋଇ ହୋଇ ଯାଉଥିଲେ। (ପ୍ରକାଶଥାଉ କି, ତାଙ୍କ ସ୍ତ୍ରୀ ପାଟଣା ଥାନାରେ କାର୍ଯ୍ୟରତ ଅଛନ୍ତି)।
ତେବେ ହନୁମାନ ଛକ ନିକଟରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ହଠାତ୍ ତାଙ୍କୁ ଅଟକାଇ ଟଙ୍କା ବ୍ୟାଗ୍ ମାଗିଥିଲେ। ତ୍ରିଲୋଚନ ଏହାର ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିଚାଳନା କରିବା ସହ ଧାରୁଆ ମାରଣାସ୍ତ୍ରରେ ବ୍ୟାପକ ଆକ୍ରମଣ କରି ତାଙ୍କୁ ଖଣ୍ଡିଆଖାବରା କରି ପକାଇଥିଲେ । ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତ୍ରିଲୋଚନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପାଟଣା ଓ ତୁରୁମୁଙ୍ଗା ଥାନା ପୁଲିସ ପହଞ୍ଚି ଛାନଭିନ ଓ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛନ୍ତି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।


