ଯାଜପୁର: ଭାଲୁକୁଣୀ ଓଷା ପର୍ବର ମୂର୍ତ୍ତି ବିସର୍ଜନ/ଭସାଣ ଶୋଭାଯାତ୍ରା ସମୟରେ ଯାଜପୁରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ଡିଜେ ଗାଡ଼ିରୁ ସାଉଣ୍ଡ ବକ୍ସ ଖସିପଡ଼ିବାରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି।
ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ଅନ୍ତର୍ଗତ ମହମ୍ମଦ ଜମାପୁର ଗାଁର ସାହୁ ସାହିରେ ଭାଲୁକୁଣୀ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସେସନ୍ ବାହାରିଥିଲା। ଶୋଭାଯାତ୍ରା ଚାଲିଥିବା ସମୟରେ ଗାଡ଼ିରେ ବନ୍ଧାଯାଇଥିବା ଡିଜେ ସାଉଣ୍ଡ ବକ୍ସର ବେଲ୍ଟଟି ରାସ୍ତା କଡ଼ରେ ଥିବା ଏକ ଗଛ ଡାଳରେ ବାଜି ଛିଡ଼ିଯାଇଥିଲା। ଫଳରେ ଗାଡ଼ି ଉପରୁ ସାଉଣ୍ଡ ବକ୍ସଗୁଡ଼ିକ ଶୋଭାଯାତ୍ରାରେ ଚାଲୁଥିବା ଝିଅମାନଙ୍କ ଉପରେ ସିଧାସଳଖ ଖସିପଡ଼ିଥିଲା।
ଘଟଣାପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସମସ୍ତ ଆହତ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଝିଅଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


