ଗାନ୍ଧୀନଗର: ଆରବ ସାଗରରେ ଚୋରା ନିଶା କାରବାର ବିରୋଧରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ମିଳିଛି ଏକ ବଡ଼ ସଫଳତା। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ଏଡିଏସ୍) ର ମିଳିତ ଅଭିଯାନରେ ଲକ୍ଷଦ୍ୱୀପ ନିକଟସମୁଦ୍ରରୁ ପ୍ରାୟ ୩,୦୦୦ କୋଟିରୁ ଅଧିକ ମୂଲ୍ୟର ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯିବା ସହ ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।
ଲାକ୍ଷାଦ୍ୱୀପର ପଶ୍ଚିମ ଭାଗରେ ଏକ ସନ୍ଦିଗ୍ଧ ଇରାନୀ ଡଙ୍ଗାର ଗତିବିଧି ଦେଖି ସୁରକ୍ଷାବାହିନୀ ତୁରନ୍ତ ଚଢ଼ଉ କରିଥିଲେ। ଯାଞ୍ଚ ପରେ ସେଥିରୁ ପ୍ରାୟ ୫୨୬ କିଲୋଗ୍ରାମ ଉଚ୍ଚମାନର ନିଶାଦ୍ରବ୍ୟ ଜବତ ହୋଇଛି, ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ୩୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହି ଅଭିଯାନ ସମୟରେ ଡଙ୍ଗାରେ ଥିବା ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ସମୁଦ୍ର ପଥ ଦେଇ ଭାରତକୁ ଏତେ ବଡ଼ ପରିମାଣର ଡ୍ରଗ୍ସ ଚୋରା ଚାଲାଣ କରିବା ପଛରେ କେଉଁ ଅନ୍ତର୍ଜାତୀୟ ନେଟୱାର୍କ କାମ କରୁଛି, ସେ ନେଇ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୫ ତାରିଖରେ ସୁରକ୍ଷା ବାହିନୀ ସମୁଦ୍ର ମଧ୍ୟରେ ଏହି ସନ୍ଦେହଜନକ ଡଙ୍ଗାଟିକୁ ପ୍ରଥମେ ଚିହ୍ନଟ କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଘେରାବନ୍ଦୀ କରି ଅଟକାଯିବା ସହ ସମ୍ପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇ ସମୁଦ୍ରପଥରେ ଚାଲିଥିବା ଏକ ବଡ଼ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି।


