ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା (AI)କୁ ଏବେ ଆନୁଷ୍ଠାନିକ ଭାବରେ ‘ସୁପର ଇଣ୍ଟେଲିଜେନ୍ସ’ କୁହାଯିବ। ଟ୍ରମ୍ପ କହିଛନ୍ତି, “ଆମେ କୃତ୍ରିମ ବୁଦ୍ଧିମତ୍ତାର ନାମ ପରିବର୍ତ୍ତନ ପାଇଁ ଏକ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରୁଛୁ। ଏହା ବାସ୍ତବରେ ‘କୃତ୍ରିମ’ ନୁହେଁ ଏବଂ ଏଥିରେ ଆମେ ସମସ୍ତେ ସହମତ। ତେଣୁ ଆନୁଷ୍ଠାନିକ ଭାବେ ଏହାର ନାମ ‘ସୁପର ଇଣ୍ଟେଲିଜେନ୍ସ’ ରଖାଯାଉଛି।” ହ୍ୱାଇଟ୍ ହାଉସ୍ରେ ଟେକ୍ ଶିଳ୍ପର ପ୍ରମୁଖ ନେତାମାନଙ୍କ ସହ ଏକ ଉଚ୍ଚସ୍ତରୀୟ ମଧ୍ୟାହ୍ନ ଭୋଜନ ବୈଠକ ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଏହି ବୈଠକରେ ସ୍ପେସ୍ଏକ୍ସ ଓ ଟେସଲାର ଏଲୋନ୍ ମସ୍କ, ମେଟାର ମାର୍କ ଜୁକରବର୍ଗ, ଗୁଗୁଲର ସୁନ୍ଦର ପିଚାଇ ଏବଂ ଏନଭିଡିଆର ଜେନସେନ୍ ହୁଆଙ୍ଗଙ୍କ ସମେତ ଅନେକ ପ୍ରମୁଖ ସିଇଓ ଯୋଗ ଦେଇଥିଲେ। ଆଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଆଇନଗତ ନିୟମାନୁସାରେ ଏହି ନାମ ପରିବର୍ତ୍ତନକୁ ପୂର୍ଣ୍ଣ କାର୍ଯ୍ୟକାରୀ କରାଯିବ। ତେବେ ପୂର୍ବରୁ ବିଦ୍ୟମାନ ଥିବା ନିୟମ, ଚୁକ୍ତିନାମା କିମ୍ବା ସରକାରୀ ରେକର୍ଡଗୁଡ଼ିକରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।


