ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସନ୍ଧାପାନି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡ଼ିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବୋଲେରୋଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଅନିୟନ୍ତ୍ରିତ ହୋଇ ଘାଟି ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ଗାଡ଼ିଟି କେଉଁଆଡ଼କୁ ଯାଉଥିଲା ଏବଂ ମୃତାହତମାନଙ୍କ ପରିଚୟ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


