ଭଦ୍ରକ: ଭଦ୍ରକ ଜିଲ୍ଲାର ଇରମ ପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର (ପିଇଓ) ଚିନ୍ମୟୀ ପଣ୍ଡାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା ଏବଂ ଅର୍ଥ ହେରଫେର ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ, ଇରମ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଚିନ୍ମୟୀ ପଣ୍ଡାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ସହ ଅର୍ଥ ସମ୍ପର୍କିତ ଅନିୟମିତତାର ଅଭିଯୋଗ ଆସିଥିଲା। ଅଭିଯୋଗକୁ ନେଇ ପ୍ରଶାସନିକ ସ୍ତରରେ ତଦନ୍ତ ପରେ ତାଙ୍କ ବିରୋଧରେ ନିଲମ୍ବନ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ପିଇଓଙ୍କ ଉପରେ ନିଜ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିନଥିବା ଅଭିଯୋଗ ରହିଥିଲା। ପଞ୍ଚାୟତର ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ସହ ଜଡ଼ିତ ଦାୟିତ୍ୱରେ ଅବହେଳା ହୋଇଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା ପ୍ରଶାସନ।
ଅଭିଯୋଗ ଓ ପ୍ରଶାସନିକ ତଦନ୍ତ ପରେ ଭଦ୍ରକ ଜିଲ୍ଲାପାଳ ଚିନ୍ମୟୀ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ଆଦେଶ ପରେ ଘଟଣାଟି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଚାୟତସ୍ତରରେ ସରକାରୀ ଅର୍ଥର ସ୍ୱଚ୍ଛ ବ୍ୟବହାର ଏବଂ କର୍ତ୍ତବ୍ୟରେ ଅବହେଳାକୁ ନେଇ ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଥିବାର ଏହା ଏକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି।


