ଭଦ୍ରକ: ସରକାରୀ ସ୍କୁଲ ପାଣ୍ଠି ଆତ୍ମସାତ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ବନ୍ତ ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସ୍କୁଲ କମିଟିର ସଭାପତି ଏବଂ ଜଣେ ସହକାରୀ ଶିକ୍ଷକ ଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାର ସରମରା ପୁରୁଷୋତ୍ତମ ହାଇସ୍କୁଲର ପାଣ୍ଠି ହଡ଼ପ ଅଭିଯୋଗକୁ ନେଇ ଏହି ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ସ୍କୁଲର ଆର୍ଥିକ ପାଣ୍ଠିରୁ ଜାଲ୍ ଚେକ୍ ମାଧ୍ୟମରେ ୨ ଲକ୍ଷରୁ ଅଧିକ ଟଙ୍କା ଉଠାଯାଇଥିଲା। ସ୍କୁଲ ପାଣ୍ଠିରୁ ଏଭଳି ଭାବେ ଟଙ୍କା ଉଠାଣ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା।
ଘଟଣାର ତଦନ୍ତ ବେଳେ CCTV ଫୁଟେଜ୍ ପୋଲିସ ହାତରେ ଲାଗିଥିଲା। CCTV ଫୁଟେଜ୍ ଯାଞ୍ଚ ପରେ ପୋଲିସକୁ ଟଙ୍କା ଉଠାଣ ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିବା କୁହାଯାଇଛି। ଏହାପରେ ତଦନ୍ତକୁ ଆଗକୁ ବଢ଼ାଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ସରମରା ପୁରୁଷୋତ୍ତମ ହାଇସ୍କୁଲର ସ୍କୁଲ କମିଟି ସଭାପତି ଏବଂ ଜଣେ ସହକାରୀ ଶିକ୍ଷକଙ୍କୁ ବନ୍ତ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ଭୂମିକା ଏବଂ ଟଙ୍କା ଉଠାଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ନେଇ ପୋଲିସ ତଦନ୍ତ କରୁଛି।


