ଭୁବନେଶ୍ୱର: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ବିରଳ ଶିଶୁ ଓରାଙ୍ଗଉଟାନ୍ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ୯୦ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର କ୍ୱାରେଣ୍ଟାଇନରେ ରହିବେ। ଗତ ସେପ୍ଟେମ୍ବର ମାସରେ ଚୋରାଚାଲାଣ ସନ୍ଦେହରେ ଉଦ୍ଧାର କରାଯାଇଥିବା ଏହି ଅତିଥିମାନଙ୍କ ସ୍ୱାସ୍ଥ୍ୟ, ଶାରୀରିକ ବିକାଶ ଓ ଆଚରଣଗତ ପରିବର୍ତ୍ତନ ଉପରେ ପ୍ରାଣୀ ଚିକିତ୍ସକମାନେ ତୀକ୍ଷ୍ଣ ନଜର ରଖିବେ।
କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଗାଇଡଲାଇନ୍ ଏବଂ ଜୈବ-ସୁରକ୍ଷା ନିୟମାନୁସାରେ ଏହି ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଅନ୍ୟ ପ୍ରାଣୀଙ୍କୁ ସଂକ୍ରାମକ ରୋଗ ଡେଇଁବାର ବିପଦ ଏଡ଼ାଯାଇପାରିବ। ଏହି ସମୟ ମଧ୍ୟରେ ସାଧାରଣ ପର୍ଯ୍ୟଟକ କିମ୍ବା ବାହାର କର୍ମଚାରୀଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କେବଳ ନିୟୋଜିତ କେୟାରଗିଭର ଏବଂ ନିର୍ଦ୍ଦିଷ୍ଟ ପ୍ରାଣୀ ଚିକିତ୍ସକଙ୍କୁ ହିଁ କ୍ୱାରେଣ୍ଟାଇନ୍ ପରିସରକୁ ଯିବାକୁ ଅନୁମତି ମିଳିବ।
ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେଙ୍କ ସୂଚନା ମୁତାବକ, ଶିଶୁ ଓରାଙ୍ଗଉଟାନମାନଙ୍କୁ ବର୍ତ୍ତମାନ ହ୍ୟାଣ୍ଡ ରିୟରିଂ ସେଣ୍ଟର (ଏଚଆରସି) ଅଞ୍ଚଳରେ କ୍ୱାରେଣ୍ଟାଇନରେ ରଖାଯାଉଛି। ବୈଷୟିକ କମିଟିର ଅନୁମୋଦନ କ୍ରମେ ଦିନ ସମୟରେ ସେମାନଙ୍କୁ ଏଚଆରସି ପାଖରେ ଥିବା ବଡ଼ ଓ ଖୋଲା ଏନକ୍ଲୋଜରକୁ ଛଡ଼ାଯିବ, ଯାହାଦ୍ୱାରା ସେମାନେ ନୂଆ ପରିବେଶ ସହ ସହଜରେ ଅଭ୍ୟସ୍ତ ହୋଇପାରିବେ। ୯୦ ଦିନର ସଫଳ କ୍ୱାରେଣ୍ଟାଇନ୍ ଅବଧି ଏବଂ ବିଶେଷଜ୍ଞଙ୍କ ଅନୁଧ୍ୟାନ ପରେ ହିଁ ସେମାନଙ୍କ ପରବର୍ତ୍ତୀ ରହଣି ଓ ପ୍ରଦର୍ଶନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।


