କୃଷ୍ଣପ୍ରସାଦ: ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ଯାତ୍ରୀ। କୃଷ୍ଣପ୍ରସାଦ ଅଞ୍ଚଳର ମହଁଷା ଗାଁ ନିକଟରେ ଚିଲିକା ମଝିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଡଙ୍ଗାଟି ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିଲା। ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀଙ୍କ ସହ ପ୍ରାୟ ୨୦ଟି ବାଇକ୍ ମଧ୍ୟ ରହିଥିବା ଜଣାପଡ଼ିଛି। ଚିଲିକା ମଝିରେ ପହଞ୍ଚିବା ପରେ ହଠାତ୍ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା ଆଗକୁ ଯାଇପାରିନଥିବା ସୂଚନା ମିଳିଛି।
ଏପଟେ ଚିଲିକାରେ ଜଳସ୍ତର ଅଧିକ ରହିଥିବାରୁ ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ସମୟ ଧରି ଡଙ୍ଗାଟି ଚିଲିକା ମଝିରେ ଅଟକି ରହିବା ଆଶଙ୍କା ଯାତ୍ରୀଙ୍କ ଚିନ୍ତା ବଢ଼ାଇଛି। ଡଙ୍ଗାରେ ଥିବା ଲୋକମାନେ ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି।
ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପଠାଇବା ସହ ଡଙ୍ଗାରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିବା ପାଇଁ ଉଦ୍ୟମ ଆବଶ୍ୟକ ହୋଇପଡ଼ିଛି। ତେବେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି କିପରି ହେଲା ଏବଂ ଯାତ୍ରୀଙ୍କୁ ଉଦ୍ଧାର ପାଇଁ କେଉଁ ପଦକ୍ଷେପ ନିଆଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଚିଲିକାରେ ଏଭଳି ଭାବେ ଯାତ୍ରୀବାହୀ ଡଙ୍ଗା ମଝି ଜଳରେ ଅଟକିଯିବା ଘଟଣା ଯାତ୍ରୀ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଓ ବାଇକ୍ଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଅଣାଯିବା ଏବେ ପ୍ରମୁଖ ଚିନ୍ତାର ବିଷୟ ହୋଇଛି।


