ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି, ଗୁରୁବାର ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ‘INDIA’ ବ୍ଲକ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏନେଇ ସୂଚନା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହିତ ଭୋଟର ତାଲିକାରେ ତ୍ରୁଟି ଏବଂ MMDR (Mines and Minerals (Development and Regulation)) ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି।
ବନ୍ଦ ସମୟରେ ରାଜ୍ୟର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାର ଓ ଅନ୍ୟାନ୍ୟ ବାଣିଜ୍ୟିକ ଅନୁଷ୍ଠାନ ବନ୍ଦ ରଖିବାକୁ ଅପିଲ କରାଯାଇଛି। ଏହା ସହିତ ଗାଡ଼ିମୋଟର ଚଳାଚଳ ପ୍ରଭାବିତ କରିବା ପାଇଁ ଘରୋଇ ବସ୍, ଟ୍ରକ୍ ଓ ଟ୍ୟାକ୍ସି ଆସୋସିଏସନ୍ଗୁଡ଼ିକର ସହଯୋଗ ମଧ୍ୟ ଲୋଡ଼ାଯାଇଛି।
ତେବେ ବନ୍ଦ ସମୟରେ ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ, ହସ୍ପିଟାଲ, ଅଗ୍ନିଶମ ସେବା ଭଳି ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ତେଣୁ ଜରୁରୀ ଚିକିତ୍ସା କିମ୍ବା ଅନ୍ୟ ଆବଶ୍ୟକ ସେବା ପାଇଁ ଲୋକଙ୍କୁ ସମସ୍ୟାରେ ପଡ଼ିବାକୁ ପଡ଼ିବ ନାହିଁ ବୋଲି ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସେହିପରି ଯେଉଁ ସ୍କୁଲରେ ପରୀକ୍ଷା ଚାଲିଛି, ସେସବୁ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯାଇଛି। ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ସୁବିଧାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସାଲୁଜା ସ୍ପଷ୍ଟ କରିଛନ୍ତି।
ଆସନ୍ତାକାଲି ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଫଳରେ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ଯାତାୟାତ ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ବନ୍ଦକୁ ନେଇ ସାଧାରଣ ଲୋକେ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକ୍ରମ ପୂର୍ବରୁ ଯୋଜନା କରିବାକୁ ପଡ଼ିପାରେ।


