ପୁରୀ: ଶ୍ରୀଜଗନ୍ନାଥ ଧାମ ପୁରୀର ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ‘ଅବଢ଼ା’ ଯୋଜନାରେ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାଦ୍ୱାରା ଯୋଜନାର ମୋଟ ଅନୁଦାନ ୬୫୮.୦୩ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅର୍ଥରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ମୂଷାନଈର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟୀକରଣ ଭଳି ପ୍ରକଳ୍ପକୁ ଆଗକୁ ବଢ଼ାଯିବ। ଶ୍ରୀଜଗନ୍ନାଥ ଧାମର ବିକାଶ ପାଇଁ ଅର୍ଥ କେବେ ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ଜଗନ୍ନାଥବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟରରେ ହେବ ୨ ହଜାର ଆସନର ହଲ୍
‘ଅବଢ଼ା’ ଯୋଜନା ଅଧୀନରେ ପୁରୀରେ ତୀର୍ଥଯାତ୍ରୀଙ୍କ ସୁବିଧା ସହ ସହରର ଭିତ୍ତିଭୂମିକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଜଗନ୍ନାଥବଲ୍ଲଭ ପାର୍କିଂ କମ୍ପ୍ଲେକ୍ସର ପଞ୍ଚମ ମହଲାରେ ୨ ହଜାର ଆସନ ବିଶିଷ୍ଟ ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିବାର ଯୋଜନା ରହିଛି। ଏହି ହଲ୍ ନିର୍ମାଣ ହେଲେ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆୟୋଜନ ପାଇଁ ଏକ ବଡ଼ ସ୍ଥାନ ଉପଲବ୍ଧ ହୋଇପାରିବ।
ଏଥିସହ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଏବଂ ମାର୍କେଟ କମ୍ପ୍ଲେକ୍ସର ବିକାଶ ଯୋଜନା ମଧ୍ୟ ରହିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ବଢ଼ିବା ସହ ସହରର ଆର୍ଥିକ ଓ ପର୍ଯ୍ୟଟନ କାର୍ଯ୍ୟକଳାପକୁ ମଧ୍ୟ ଉତ୍ସାହ ମିଳିବା ଆଶା କରାଯାଉଛି।
ନୂଆ ରୂପ ପାଇବ ମୂଷାନଈ, ପର୍ଯ୍ୟଟକଙ୍କୁ ମିଳିବ ଆକର୍ଷଣୀୟ ପରିବେଶ
ପୁରୀ ସହରର ପରିବେଶ ସୁରକ୍ଷା ଓ ପର୍ଯ୍ୟଟନକୁ ନୂଆ ପରିଚୟ ଦେବା ଉଦ୍ଦେଶ୍ୟରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ମୂଷାନଈର ସୌନ୍ଦର୍ଯ୍ୟୀକରଣ ପାଇଁ ଯୋଜନା ହୋଇଥିଲା। ‘ଅବଢ଼ା’ ଯୋଜନାରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ ଆରମ୍ଭ ହୋଇଥିଲା। ନଦୀକୂଳକୁ ଏକ ମନୋରମ ପରିବେଶରେ ପରିଣତ କରିବା ସହ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ସକାଳ-ସନ୍ଧ୍ୟାରେ ଚଲାବୁଲା ଓ ବିଶ୍ରାମର ସୁଯୋଗ ସୃଷ୍ଟି କରିବା ଥିଲା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।
ଏହି ଯୋଜନାରେ ନଦୀକୂଳରେ ଖଣ୍ଡୋଲାଇଟ୍ ପଥରରେ ଚଲାପଥ, ବସିବା ପାଇଁ ବେଞ୍ଚ, ବୃକ୍ଷରୋପଣ ଓ ଲ୍ୟାଣ୍ଡସ୍କେପିଂ ଭଳି କାର୍ଯ୍ୟ କରାଯାଇଥିଲା। ରାତିରେ ଅଠରନଳା ଓ ଏହାର ଆଖପାଖକୁ ଆଲୋକରେ ସଜାଇବା ପାଇଁ ସ୍ପଟ୍ଲାଇଟ୍ ଲଗାଇବାର ଯୋଜନା ମଧ୍ୟ ରହିଥିଲା। ଏଥିପାଇଁ ଆବଶ୍ୟକ ଢାଞ୍ଚା ନିର୍ମାଣ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ଆଲୋକୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା।
ପ୍ରକଳ୍ପ ଆରମ୍ଭ ହେବା ପରେ କିଛି ସମୟ ପର୍ଯ୍ୟନ୍ତ ନଦୀକୂଳରେ ସକାଳ ଓ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଥିଲା। ହେଲେ ପରବର୍ତ୍ତୀ ସମୟରେ କାମ ଅଧାରେ ରହିଯିବା ଏବଂ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ପ୍ରକଳ୍ପର ଉଦ୍ଦେଶ୍ୟ ପୂର୍ଣ୍ଣ ରୂପ ନେଇପାରି ନଥିଲା। ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍ (ଓବିସିସି) ପକ୍ଷରୁ ଏହି ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରାଯାଇଥିଲା।
ଅତିରିକ୍ତ ଅନୁଦାନରେ ଅଧାପନ୍ତରିଆ କାମ ସମ୍ପୂର୍ଣ୍ଣ ହେବା ଆଶା
ମୂଷାନଈର ସୌନ୍ଦର୍ଯ୍ୟୀକରଣଠାରୁ ଆରମ୍ଭ କରି ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅତିରିକ୍ତ ଅର୍ଥ ମଞ୍ଜୁର ହେବା ପରେ ପୁରୀର ବିକାଶ କାର୍ଯ୍ୟକୁ ନେଇ ଆଶା ବଢ଼ିଛି। ଯୋଜନା ଅନୁଯାୟୀ କାମ ସମ୍ପୂର୍ଣ୍ଣ ହେଲେ ମୂଷାନଈର ରୂପ ବଦଳିବା ସହ ପୁରୀର ପ୍ରବେଶପଥ ଓ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇପାରିବ।
ଶ୍ରୀଜଗନ୍ନାଥ ଧାମର ଧାର୍ମିକ ମହତ୍ତ୍ୱ ସହ ପର୍ଯ୍ୟଟନ ଓ ସହରୀ ଭିତ୍ତିଭୂମିର ସମନ୍ୱିତ ବିକାଶ ଉପରେ ‘ଅବଢ଼ା’ ଯୋଜନାର ଗୁରୁତ୍ୱ ରହିଛି। ଅତିରିକ୍ତ ଅନୁଦାନର ସଠିକ୍ ବିନିଯୋଗ, ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି ଓ ନିୟମିତ ରକ୍ଷଣାବେକ୍ଷଣ ହେଲେ ପୁରୀର ଭିତ୍ତିଭୂମି ଓ ପର୍ଯ୍ୟଟନ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ।


