ବାରାଣସୀ: ବାରାଣସୀଠାରେ ‘ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍’ର ୯୪ତମ ସଂସ୍କରଣର ନେତୃତ୍ୱ ନେଇଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ। ଏଥିରେ ୫୦୦ରୁ ଅଧିକ ସାଇକେଲ ଚାଳକ ଓ ୧,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇ ନିଶାମୁକ୍ତ ଯୁବପିଢ଼ି ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ଦେଇଥିଲେ। ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୨୬ ଆଇଚି-ନାଗୋୟା ଏସୀୟ କ୍ରୀଡ଼ାର ପଦକ ବିଜେତା ପ୍ରାଚୀ ଚୌଧୁରୀ, ପାରୁଲ ଚୌଧୁରୀ, ଜୟ କୁମାର ଓ ରାଜ କୁମାର ପାଲ ଯୋଗ ଦେଇଥିଲେ।
ସକାଳ ୬ଟାରେ ନମୋ ଘାଟଠାରେ ଏକ ଧ୍ୟାନ ଅଧିବେଶନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହାଇଦ୍ରାବାଦର କାହ୍ନା ଶାନ୍ତିବନମ୍ସ୍ଥିତ ହାର୍ଟଫୁଲନେସ୍ ଇନଷ୍ଟିଚ୍ୟୁଟ୍ର ଯୁବ ବ୍ୟାପାର ନିର୍ଦ୍ଦେଶିକା ଡକ୍ଟର ନିବେଦିତା ଶ୍ରେୟାନ୍ସ ଏହି ଧ୍ୟାନ ଅଧିବେଶନ ପରିଚାଳନା କରିଥିଲେ। ସୁସ୍ଥ ଜୀବନ ପାଇଁ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତାର ଗୁରୁତ୍ୱ ଉପରେ ଏଥିରେ ଆଲୋକପାତ କରାଯାଇଥିଲା। ଏହାପରେ ଆକର୍ଷଣୀୟ କଥକ ନୃତ୍ୟ ପରିବେଷଣ ଓ ଏକ ଜୁମ୍ବା ଅଧିବେଶନ ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ସାଂସ୍କୃତିକ ଅଭିବ୍ୟକ୍ତି, ଶାରୀରିକ ବ୍ୟାୟାମ ଓ ସାମୂହିକ ଅଂଶଗ୍ରହଣ ଦ୍ୱାରା ସାମଗ୍ରିକ ସୁସ୍ଥତାର ବାର୍ତ୍ତା ଦିଆଯାଇଥିଲା।
ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ଡକ୍ଟର ମାଣ୍ଡଭୀୟ ଯୁବପିଢ଼ିଙ୍କୁ ଦୈନନ୍ଦିନ ଜୀବନରେ ଶାରୀରିକ ବ୍ୟାୟାମକୁ ସାମିଲ କରିବା ସହ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ସମାଜ ଗଠନର ଗୁରୁତ୍ୱ ଉପରେ ଜୋର ଦେଇ ମନ୍ତ୍ରୀ ଓ ଅଂଶଗ୍ରହଣକାରୀମାନେ ‘ନିଶାମୁକ୍ତ ଭାରତ’ର ଶପଥ ନେଇଥିଲେ। ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ଲଢ଼େଇ ଜାରି ରଖିବା ସହ ନିଶାମୁକ୍ତ ପିଢ଼ି ଗଠନ ପାଇଁ ସେମାନେ ସାମୂହିକ ସଂକଳ୍ପ ନେଇଥିଲେ। ଏହାପରେ ଡକ୍ଟର ମାଣ୍ଡଭୀୟ ନମୋ ଘାଟରୁ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସାଇକେଲ ରାଲିର ନେତୃତ୍ୱ ନେଇଥିଲେ। ଏହି ରାଲି ମାଧ୍ୟମରେ ବାରାଣସୀର ବିଭିନ୍ନ ରାସ୍ତାରେ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି’ର ବାର୍ତ୍ତା ପ୍ରଚାର କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଇଚି-ନାଗୋୟା ଏସୀୟ କ୍ରୀଡ଼ା-୨୦୨୬ର ପଦକ ବିଜେତା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଖେଳାଳିଙ୍କ ମଧ୍ୟରେ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ବିଜୟିନୀ ପ୍ରାଚୀ ଚୌଧୁରୀ, ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍ ଓ ୫୦୦୦ ମିଟର ଦୌଡ଼ରେ ଯୁଗଳ କାଂସ୍ୟ ପଦକ ଜିତିଥିବା ପାରୁଲ ଚୌଧୁରୀ, ମିଶ୍ରିତ ୪×୪୦୦ ମିଟର ରିଲେରେ ରୌପ୍ୟ ଓ ପୁରୁଷ ୪×୪୦୦ ମିଟର ରିଲେରେ କାଂସ୍ୟ ପଦକ ବିଜେତା ଜୟ କୁମାର ଏବଂ ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିବା ରାଜ କୁମାର ପାଲ ସାମିଲ ଥିଲେ।
ଖେଳାଳିମାନଙ୍କ ଉପସ୍ଥିତି କ୍ରୀଡ଼ାରେ ଉତ୍କର୍ଷ ହାସଲ ପାଇଁ ଆବଶ୍ୟକ ଶୃଙ୍ଖଳା, ଦୃଢ଼ ମନୋବଳ ଓ ନିଷ୍ଠାର ମହତ୍ତ୍ୱକୁ ପ୍ରତିପାଦିତ କରିଥିଲା। ଏହା ଯୁବ ଅଂଶଗ୍ରହଣକାରୀଙ୍କୁ ଶାରୀରିକ ସୁସ୍ଥତା ପ୍ରତି ଯତ୍ନବାନ ହେବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଦେଇଥିଲା।
ସାଇକେଲ ରାଲି ଶାରୀରିକ ସୁସ୍ଥତାର ବାର୍ତ୍ତାକୁ ସାମୂହିକ କାର୍ଯ୍ୟରେ ପରିଣତ କରିଥିଲା। ଏହା ନାଗରିକମାନଙ୍କୁ ସକ୍ରିୟ ଜୀବନଶୈଳୀ ଗ୍ରହଣ କରିବା ସହ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାବାହକ ହେବାକୁ ଉତ୍ସାହିତ କରିଥିଲା। ସଫଳ ଖେଳାଳିମାନଙ୍କୁ ସାଧାରଣ ଲୋକଙ୍କ ନିକଟକୁ ଆଣି ‘ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍’ ଯୁବପିଢ଼ିଙ୍କୁ ସେମାନଙ୍କ ସହ ମତ ବିନିମୟ କରିବା ଓ ସେମାନଙ୍କ ସଫଳତାର ଯାତ୍ରାରୁ ପ୍ରେରଣା ନେବାର ସୁଯୋଗ ମଧ୍ୟ ଦେଇଥିଲା।
ଏହି ଅଭିଯାନର ୯୪ତମ ସଂସ୍କରଣ ବାର୍ତ୍ତା ଦେଇଥିଲା ଯେ, ସୁସ୍ଥତା କେବଳ ଶାରୀରିକ ବ୍ୟାୟାମ ମଧ୍ୟରେ ସୀମିତ ନୁହେଁ; ଏହା ଏକ ଜୀବନଶୈଳୀ, ଯାହା ଶୃଙ୍ଖଳା, ମାନସିକ ସୁସ୍ଥତା ଓ ଦାୟିତ୍ୱପୂର୍ଣ୍ଣ ଜୀବନଚର୍ଯ୍ୟାକୁ ପ୍ରୋତ୍ସାହିତ କରେ। ସାଇକେଲ ଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଧ୍ୟାନ ଓ ‘ନିଶାମୁକ୍ତ ଭାରତ’ର ଶପଥ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବା, ସୁସ୍ଥ ଅଭ୍ୟାସ ଗ୍ରହଣ କରିବା ଏବଂ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲା।


