ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ସେନା ବାହିନୀ ପାଇଁ ‘ଭାରତ ରାଇସ’ (Bharat Rice)ର ଶୁଭାରମ୍ଭ କରାଯାଇଛି। ସେନାର ଅପରେସନାଲ ଲଜିଷ୍ଟିକ୍ସ ଏବଂ ରାସନ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତୀୟ ସେନା ଏବଂ ଖାଦ୍ୟ ନିଗମ (FCI) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ବାକ୍ଷରିତ ହୋଇଛି।ନୂଆଦିଲ୍ଲୀର ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମିଳିତ ଭାବେ ଏହି ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ଧୀରଜ ସେଠ୍, ମେଜର ଜେନେରାଲ ଏସ୍. ସୂରଜଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ସେନାକୁ ମିଳୁଥିବା ରାସନର ମାନ ବୃଦ୍ଧି ପାଇବା ସହ ସାମରିକ ଲଜିଷ୍ଟିକ୍ସ ଅଧିକ ଶକ୍ତିଶାଳୀ ହେବ। ବିଶେଷକରି ଜରୁରୀକାଳୀନ ପରିସ୍ଥିତିରେ ଆଗୁଆ ମୋର୍ଚ୍ଚାରେ ଥିବା ସୈନିକମାନଙ୍କ ପାଇଁ ନିରନ୍ତର ସାମଗ୍ରୀ ଯୋଗାଣ ସହଜ ହେବ। ନିର୍ଦ୍ଦିଷ୍ଟ ପ୍ରତିରକ୍ଷା ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ ଏହି ଚାଉଳକୁ ସ୍ଥାନୀୟ ଏଫ୍ସିଆଇ କେନ୍ଦ୍ରରୁ ସଂଗ୍ରହ କରିବା ବଦଳରେ ସିଧାସଳଖ ଲଦ୍ଦାଖ ଓ ଉତ୍ତର-ପୂର୍ବାଞ୍ଚଳ ସମେତ ବିଭିନ୍ନ ସେନା ଯୋଗାଣ ଡିପୋକୁ ପଠାଯିବ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଦୁର୍ଗମ ଅଞ୍ଚଳରେ ପରିବହନକୁ ସହଜ କରିବା ପାଇଁ ଏହି ଚାଉଳକୁ ଆରାମଦାୟକ ପ୍ୟାକେଜିଂରେ ଯୋଗାଇ ଦିଆଯିବ। ଆଧୁନିକ ଯୁଦ୍ଧରେ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଯୋଗାଣ ଶୃଙ୍ଖଳା, ଗଚ୍ଛିତ ରଖିବାର କ୍ଷମତା ଏବଂ ସମୟୋଚିତ ପରିବହନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି।
‘ଅପରେସନ୍ ସିନ୍ଦୂର’ରୁ ମିଳିଥିବା ଶିକ୍ଷାକୁ ଆଖିରେ ରଖି ଭବିଷ୍ୟତର ଯୁଦ୍ଧ ପରିସ୍ଥିତି ପାଇଁ ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଚୁକ୍ତି ଆଗାମୀ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ସମୟରେ ପରସ୍ପରର ସହମତିକ୍ରମେ ଏହାକୁ ବୃଦ୍ଧି କରାଯାଇପାରିବ। FCIର ଗୋଦାମ, ଆଧୁନିକ ସାଇଲୋ ଏବଂ ପ୍ରଶିକ୍ଷିତ କର୍ମଚାରୀଙ୍କ ସହାୟତାରେ ଯୋଗାଣ ବ୍ୟବସ୍ଥା ଆହୁରି ମଜବୁତ ହେବ।


