ବୀରମିତ୍ରପୁର: ମଦ ନିଶା ଓ ପାରିବାରିକ କଳହର କରୁଣ ପରିଣତି! ଯାହାକୁ ନିଜ ପୁଅ ଭଳି ଘରେ ରଖିଥିଲେ, ଶେଷରେ ସେହି ପୁତୁରାର ଜୀବନ ଚାଲିଗଲା କକାଙ୍କ ହାତରେ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତର ହାଡ୍ରାଟୋଲି ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ମୃତକ ହେଉଛନ୍ତି ୪୦ ବର୍ଷୀୟ ଏତୁଆ କୁଜୁର। ଏହି ଘଟଣାରେ ଅଭିଯୁକ୍ତ କକା ସାନିଆ କୁଜୁର (୪୫)ଙ୍କୁ ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ସାନିଆ କୁଜୁରଙ୍କର କୌଣସି ପିଲାଛୁଆ ନଥିବାରୁ ସେ ନିଜ ପୁତୁରା ଏତୁଆଙ୍କୁ ପୋଷ୍ୟପୁତ୍ର ଭାବେ ଘରେ ରଖିଥିଲେ। ତେବେ ଏତୁଆ କୌଣସି କାମ କରୁନଥିବା ଏବଂ ପ୍ରାୟତଃ ମଦ୍ୟପାନ କରି କକାଙ୍କ ସହ ଝଗଡ଼ା କରୁଥିବା କୁହାଯାଉଛି। ଏହି ପାରିବାରିକ କଳହ ଧୀରେ ଧୀରେ ଉଗ୍ର ରୂପ ନେଉଥିଲା।
ଗତକାଲି ରାତିରେ ଉଭୟ କକା ଓ ପୁତୁରା ମଦ୍ୟପାନ କରିଥିଲେ। ଏହି ସମୟରେ ଏତୁଆ ଓ ସାନିଆଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାନିଆ ଘରେ ଥିବା ଏକ ଟାଙ୍ଗିଆରେ ଏତୁଆଙ୍କ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଗୁରୁତର ଥିଲା ଯେ ଏତୁଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଖବର ପାଇ ବୀରମିତ୍ରପୁର ପୁଲିସ ଉପଖଣ୍ଡ ଅଧିକାରୀ ପୁଷ୍ପେନ୍ଦୁ ସାଗର, ଥାନା ଅଧିକାରୀ ଦିନେଶ କୁମାର ପଟ୍ଟା ଏବଂ ଏସ୍ଆଇ ଚକ୍ରଧର ହାଁସଦା ଓ ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତ ସାନିଆ କୁଜୁରଙ୍କୁ ଗିରଫ କରି ଥାନାକୁ ଆଣିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ମଦ୍ୟପାନ ପରେ ଆରମ୍ଭ ହୋଇଥିବା ଏକ ପାରିବାରିକ ଝଗଡ଼ା କିପରି ହତ୍ୟାକାଣ୍ଡର ରୂପ ନେଲା, ତାହାକୁ ନେଇ ତଦନ୍ତ ଜାରି ରହିଛି। ଏହି ଘଟଣା ହାଡ୍ରାଟୋଲି ଗ୍ରାମରେ ଶୋକ ଓ ଆଲୋଡ଼ନ ସୃଷ୍ଟି କରିଛି।


