ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ଆଜି ଅକ୍ଟୋବର ୨୭ ତାରିଖରୁ ରେଳବାଇର ନୂଆ ନିୟମ ଲାଗୁ ହୋଇଛି। ଏଣିକି ଷ୍ଟେସନ କାଉଣ୍ଟରରୁ ଟିକେଟ କିଣିଲେ ବି ମାତ୍ର ୪୫ ପଇସାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାତ୍ରା ବୀମା ମିଳିବ।
ଏହା ପୂର୍ବରୁ ଏହି ସୁବିଧା କେବଳ ଅନଲାଇନ IRCTC ଟିକେଟ ବୁକିଂରେ ମିଳୁଥିଲା। ଅଫଲାଇନ ଟିକେଟ କାଟୁଥିବା ଯାତ୍ରୀଙ୍କୁ ଏହି ସୁବିଧା ମିଳୁନଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରେଳବାଇ ବୋର୍ଡ ଏହି ସୁବିଧାକୁ କାଉଣ୍ଟର ଟିକେଟ ପର୍ଯ୍ୟନ୍ତ ବଢ଼ାଇଛି।
କେତେ ଟଙ୍କାରେ ମିଳିବ ବୀମା?
ରେଳ ଯାତ୍ରା ବୀମା ଯୋଜନାରେ ଯାତ୍ରୀଙ୍କୁ ଜଣ ପିଛା ମାତ୍ର ୪୫ ପଇସା ପ୍ରିମିୟମ ଦେବାକୁ ପଡ଼ିବ। ଏହି ଛୋଟ ରାଶି ବଦଳରେ ଦୁର୍ଘଟଣା ଅନୁଯାୟୀ ବୀମା କଭର ମିଳିବ।
କାରଣ- ବୀମା ରାଶି
ମୃତ୍ୟୁ ବା ସ୍ଥାୟୀ ସମ୍ପୂର୍ଣ୍ଣ ଅକ୍ଷମତା- ୧୦ ଲକ୍ଷ ଟଙ୍କା
ସ୍ଥାୟୀ ଆଂଶିକ ଅକ୍ଷମତା- ୭.୫ ଲକ୍ଷ ଟଙ୍କା
ଆହତ ହେଲେ ହସ୍ପିଟାଲ ଖର୍ଚ୍ଚ- ୨ ଲକ୍ଷ ଟଙ୍କା
ପାର୍ଥିବ ଶରୀର ନେବା ଖର୍ଚ୍ଚ- ୧୦,୦୦୦ ଟଙ୍କା
କଣ ରହିଛି ସର୍ତ୍ତ?
୧. କାଉଣ୍ଟରରେ ଟିକେଟ ନେବା ବେଳେ ଡିଜିଟାଲ ପେମେଣ୍ଟ (UPI, କାର୍ଡ) କରିବା ବାଧ୍ୟତାମୂଳକ। ନଗଦ ଦେଇ ବୀମା ମିଳିବ ନାହିଁ।
୨. ବୁକିଂ ସମୟରେ ସଠିକ୍ ମୋବାଇଲ ନମ୍ବର ଦେବାକୁ ପଡ଼ିବ।
୩. ଟିକେଟ ବାତିଲ କଲେ ପ୍ରିମିୟମରୁ ୯ ପଇସା କଟିଯିବ।
କାହାକୁ ମିଳିବ ସୁବିଧା?
ଏହି ସୁବିଧା ରିଜର୍ଭ ଟିକେଟ ନେଉଥିବା ଯାତ୍ରୀଙ୍କ ପାଇଁ। ବୁକିଂ ସମୟରେ ଟିକେଟ କନଫର୍ମ କିମ୍ବା RAC ଥିବା ଆବଶ୍ୟକ। ଗୋଟିଏ PNR ରେ କିଛି କନଫର୍ମ ଓ କିଛି ୱେଟିଂ ଥିଲେ ବି ସମସ୍ତଙ୍କୁ ବୀମା ମିଳିବ। ତେବେ ୫ ବର୍ଷରୁ କମ ବୟସର ବିନା ସିଟ୍ ପିଲାଙ୍କ ପାଇଁ ଏହା ଲାଗୁ ହେବ ନାହିଁ।
ସୁପ୍ରିମକୋର୍ଟ କାହିଁକି ନିର୍ଦ୍ଦେଶ ଦେଲେ?
ସୁପ୍ରିମକୋର୍ଟ ଗତ ଅକ୍ଟୋବର ୬ ତାରିଖରେ କହିଥିଲେ, ବହୁ ସଂଖ୍ୟକ ଯାତ୍ରୀ ଏବେ ବି କାଉଣ୍ଟରରୁ ଟିକେଟ କିଣୁଛନ୍ତି, ତେଣୁ ଅନଲାଇନ ଭଳି ସେମାନଙ୍କୁ ବି ବୀମା ସୁବିଧା ମିଳିବା ଦରକାର।


