ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ମେଣ୍ଟ INDIAର ପ୍ରସ୍ତାବିତ ମହାରାଲିକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ଦିଲ୍ଲୀ ପୋଲିସ। ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ରାଲିର ଅନୁମତି ପ୍ରତ୍ୟାହାର କରାଯାଇନାହିଁ ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି ପୋଲିସ। ଏହା ସହିତ ରାଲିରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୩,୫୦୦ ପୋଲିସ କର୍ମଚାରୀ ମୁତୟନ କରିବା ସହ ୨୦୦ରୁ ଅଧିକ CCTV କ୍ୟାମେରା ଜରିଆରେ ନଜର ରଖିବାକୁ ଯୋଜନା କରିଛି ଦିଲ୍ଲୀ ପୋଲିସ।
SIR (ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଉଠାଇ ବିରୋଧୀ ଦଳଗୁଡ଼ିକ ଏହି ରାଲି ଆୟୋଜନ କରୁଛନ୍ତି। ତେବେ ରାଲିର ଅନୁମତିକୁ ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ଆସିବା ପରେ ପୋଲିସର ସ୍ପଷ୍ଟୀକରଣ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି।
ରାଲିରେ ବହୁ ସଂଖ୍ୟାରେ ଲୋକ ଯୋଗଦେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରୁଛି ଦିଲ୍ଲୀ ପୋଲିସ। ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ସମଗ୍ର ଅଞ୍ଚଳକୁ ୧୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ୍ର ଦାୟିତ୍ୱ ଜଣେ ସହାୟକ ପୋଲିସ କମିଶନର (ACP) ସ୍ତରୀୟ ଅଧିକାରୀଙ୍କୁ ଦିଆଯିବ। ଏହା ସହ ଅତିରିକ୍ତ ଡେପୁଟି ପୋଲିସ କମିଶନର ସ୍ତରୀୟ ଅଧିକାରୀମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।
ସୁରକ୍ଷା ପାଇଁ ରିଜର୍ଭ ଫୋର୍ସର ୧୦ଟି କମ୍ପାନୀକୁ ଡକାଯାଇଛି। CCTV କ୍ୟାମେରା ସହ ବଡି କ୍ୟାମେରା ଓ ନିରୀକ୍ଷଣ ଉପକରଣ ଥିବା ଯାନ ମାଧ୍ୟମରେ ମଧ୍ୟ ନଜର ରଖାଯିବ। ରାଲି ଆୟୋଜକ, ଟ୍ରାଫିକ୍ ପୋଲିସ ଓ ଅନ୍ୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାକୁ ପ୍ରସ୍ତୁତି ଚାଲିଛି।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ରାଲି ପାଇଁ ଆବଶ୍ୟକ NOC ବା ଅନାପତ୍ତି ପ୍ରମାଣପତ୍ର ଆଇନଶୃଙ୍ଖଳା ଦୃଷ୍ଟିରୁ ଦିଆଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ମୁଖ୍ୟାଳୟର ନେତା ମନୀଷ ଚତ୍ରଥଙ୍କୁ ପଠାଯାଇଥିବା ଚିଠିରେ ଏନେଇ ଉଲ୍ଲେଖ ରହିଛି। କଂଗ୍ରେସ ପକ୍ଷରୁ ଅକ୍ଟୋବର ୨୫ରୁ ନଭେମ୍ବର ୩ ପର୍ଯ୍ୟନ୍ତ ରାମଲୀଳା ମୈଦାନ ବୁକ୍ କରିବାକୁ ଅନୁରୋଧ କରାଯାଇଥିଲା। ତେବେ ନଭେମ୍ବର ୧ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରାଲି ଆୟୋଜନ ପାଇଁ ଅନୁମତି ସମ୍ପର୍କିତ ସର୍ତ୍ତ ରଖାଯାଇଛି।
ଏହି ସର୍ତ୍ତ ଅନୁଯାୟୀ, ରଣନୈତିକ ସ୍ଥାନରେ ହାଇ-ଡେଫିନେସନ୍ CCTV କ୍ୟାମେରା ଲଗାଇବା, ନିରୀକ୍ଷଣ ପାଇଁ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିବା, ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସ୍ୱେଚ୍ଛାସେବକ ନିୟୋଜିତ କରିବା ଏବଂ ପାନୀୟ ଜଳ ସହ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା କରିବାକୁ ପଡ଼ିବ। ରାଲି ଅପରାହ୍ଣ ୫ଟା ସୁଦ୍ଧା ଶେଷ କରିବା ସହ ଅଂଶଗ୍ରହଣକାରୀଙ୍କ ସୁରକ୍ଷିତ ପ୍ରସ୍ଥାନ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।
ପୋଲିସର ସର୍ତ୍ତ ଅନୁଯାୟୀ, ରାଲି ପୂର୍ବରୁ କିମ୍ବା ପରେ କୌଣସି ଅଂଶଗ୍ରହଣକାରୀଙ୍କୁ ରାମଲୀଳା ମୈଦାନରେ ରାତ୍ରିଯାପନ କରିବାକୁ ଅନୁମତି ମିଳିବ ନାହିଁ। ଯାନବାହନଗୁଡ଼ିକୁ ଟ୍ରାଫିକ୍ ପୋଲିସ ନିର୍ଦ୍ଦିଷ୍ଟ କରିଥିବା ସ୍ଥାନରେ ହିଁ ପାର୍କିଂ କରିବାକୁ ପଡ଼ିବ। ଏହା ସହ ରାଲିରେ ଉତ୍ତେଜନାମୂଳକ ଭାଷଣ, ଅଶାଳୀନ ଆଚରଣ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରିବା ଭଳି କାର୍ଯ୍ୟକୁ ରୋକିବା ଦାୟିତ୍ୱ ଆୟୋଜକଙ୍କ ଉପରେ ରହିବ।
ପୋଲିସକୁ ନିମନ୍ତ୍ରିତ ଅତିଥି ଓ ସ୍ୱେଚ୍ଛାସେବକଙ୍କ ତାଲିକା, କାର୍ଯ୍ୟକ୍ରମର ମିନିଟ୍-ପ୍ରତି-ମିନିଟ୍ ବିବରଣୀ ଏବଂ ବସ୍ଗୁଡ଼ିକର ପଞ୍ଜୀକରଣ ନମ୍ବର ସହ ଆବଶ୍ୟକ ତଥ୍ୟ ଦେବାକୁ ହେବ। ରାମଲୀଳା ମୈଦାନ ବାହାରେ କୌଣସି ଶୋଭାଯାତ୍ରା ନେବାକୁ ମଧ୍ୟ ଅନୁମତି ନାହିଁ। ଏହି ସର୍ତ୍ତଗୁଡ଼ିକର ଉଲ୍ଲଂଘନ ହେଲେ ଆୟୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଅନୁମତି ବାତିଲ କରାଯାଇପାରେ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି।
ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ବିରୋଧରେ ବିରୋଧୀଙ୍କ ଅଭିଯାନର ଏକ ଅଂଶ ଭାବେ ଦେଖାଯାଉଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବା ବେଳେ, ଏହି ରାଲି ମାଧ୍ୟମରେ ନିଜର ଆପତ୍ତି ଓ ଦାବିକୁ ଜୋରଦାର ଭାବେ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଏବେ ଦିଲ୍ଲୀ ପୋଲିସର ସ୍ପଷ୍ଟୀକରଣ ପରେ ରାଲି ଆୟୋଜନ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି। ତେବେ ରାଲିରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ କେତେ ପ୍ରଭାବଶାଳୀ ହେବ ଏବଂ SIR ବିବାଦ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।


