Reliance Beats Tata: ସେୟାର ବଜାରରେ ଜିଓ ପ୍ଲାଟଫର୍ମସ୍ ର ଧମାକାଦାର ପ୍ରବେଶ ଦେଶର ସର୍ବାଧିକ ମୂଲ୍ୟବାନ ବ୍ୟବସାୟିକ ସମୂହ ଗୁଡ଼ିକର ରାଙ୍କିଙ୍ଗ ସାରଣୀ ବଦଳାଇ ଦେଇଛି। ବୁଧବାର ଜିଓର ଶେୟାର ୧,୩୫୮ ଟଙ୍କା ମୂଲ୍ୟରେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ମାତ୍ରେ ରିଲାଏନ୍ସ ସମୂହ ଟାଟା ସମୂହକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି। ଜିଓର ଲିଷ୍ଟିଂ ପରେ ରିଲାଏନ୍ସ ସମୂହର ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମିଳିତ ମାର୍କେଟ୍ କ୍ୟାପ୍ ୨୮.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୫.୬ ଲକ୍ଷ କୋଟି ଟଙ୍କାର ମାର୍କେଟ୍ କ୍ୟାପ୍ ସହ ଟାଟା ସମୂହ ଦ୍ୱିତୀୟ ଏବଂ ୧୬.୬ ଲକ୍ଷ କୋଟି ଟଙ୍କା ସହ ଆଦାନୀ ସମୂହ ତୃତୀୟ ସ୍ଥାନରେ ରହିଛି।
ଜିଓର ଏହି ଧମାକାଦାର ଏଣ୍ଟ୍ରି ରିଲାଏନ୍ସ ସମୂହର ବଜାର ମୂଲ୍ୟରେ ବଡ଼ ବୃଦ୍ଧି ଆଣିଛି। ୧,୧୧୯ ଟଙ୍କା ଇସ୍ୟୁ ମୂଲ୍ୟ ତୁଳନାରେ ଜିଓର ସେୟାର ୧,୩୫୮ ଟଙ୍କାରେ ଲିଷ୍ଟିଂ ହୋଇଛି, ଅର୍ଥାତ୍ ୨୧.୪ ପ୍ରତିଶତ ପ୍ରିମିୟମରେ କାରବାର ଆରମ୍ଭ କରିଛି। ଏହି ମୂଲ୍ୟ ଅନୁସାରେ ଜିଓର ମାର୍କେଟ୍ କ୍ୟାପ୍ ବା ବଜାର ପୁଞ୍ଜି ୧୨.୫ ଲକ୍ଷ କୋଟି ଟଙ୍କାରେ Jପହଞ୍ଚିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜିଓ ପ୍ଲାଟଫର୍ମସ୍ର ମିଳିତ ବଜାର ମୂଲ୍ୟ ୨୮.୭ ଲକ୍ଷ କୋଟି ଟଙ୍କା ହୋଇଛି। ଜିଓ ପ୍ଲାଟଫର୍ମସର ସେୟାରହୋଲ୍ଡରଙ୍କ ସଂଖ୍ୟା ମଧ୍ୟ ଦେଶରେ ସର୍ବାଧିକ। କମ୍ପାନିର ମୋଟ ସେୟାରହୋଲ୍ଡରଙ୍କ ସଂଖ୍ୟା ୭୯.୮ ଲକ୍ଷ ରହିଛି।
ମୁମ୍ବାଇସ୍ଥିତ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନଏସଇ) ରେ ଜିଓର ଲିଷ୍ଟିଂ ଅବସରରେ ପାରମ୍ପରିକ ବେଲ୍-ରିଙ୍ଗିଂ ସମାରୋହ ଆୟୋଜନ କରାଯାଇଥିଲା। ଏହି ସମାରୋହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆକାଶ ଅମ୍ବାନୀ, ଈଶା ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀ ଯୋଗ ଦେଇଥିଲେ। ଲିଷ୍ଟିଂ ପୂର୍ବରୁ ଆକାଶ, ଈଶା ଏବଂ ଅନନ୍ତ ଅମ୍ବାନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।
ଜିଓ ପ୍ଲାଟଫର୍ମସ୍ର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଥିଲେ, “ଆଜିର ଲିଷ୍ଟିଂ ଆମର ଲକ୍ଷ୍ୟସ୍ଥଳ ନୁହେଁ, ବରଂ ଏକ ନୂଆ ଆରମ୍ଭ। ଆମେ ମୁକ୍ତ ଭାବେ ଆଲୋଚନା କରିବୁ, ନିଜ ପ୍ରତିଶ୍ରୁତି ପାଳନ କରିବୁ ଏବଂ ନିଜ କାର୍ଯ୍ୟ ମାଧ୍ୟମରେ ଆପଣଙ୍କ ବିଶ୍ୱାସ ଜିତିବୁ।”
ଏହି ଲିଷ୍ଟିଂର ଅନ୍ୟ ଏକ ବିଶେଷ ଦିଗ ହେଉଛି, ମାର୍କେଟ୍ କ୍ୟାପ୍ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜିଓ ପ୍ଲାଟଫର୍ମସ୍ ଦେଶର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସର୍ବାଧିକ ମୂଲ୍ୟବାନ ତାଲିକାଭୁକ୍ତ କମ୍ପାନି ହୋଇପାରିଛନ୍ତି। ଏହି ଦୁଇଟି କମ୍ପାନିର ମିଳିତ ବଜାର ମୂଲ୍ୟ ଟାଟା ସମୂହର ସମସ୍ତ ତାଲିକାଭୁକ୍ତ କମ୍ପାନିର ମୋଟ ମାର୍କେଟ୍ କ୍ୟାପ୍ ଠାରୁ ମଧ୍ୟ ୩.୧ ଲକ୍ଷ କୋଟି ଟଙ୍କା ଅଧିକ ରହିଛି। ଏହିପରି ଭାବେ ଜିଓର ପ୍ରବେଶ କେବଳ ଦେଶର ସର୍ବାଧିକ ମୂଲ୍ୟବାନ କମ୍ପାନିଗୁଡ଼ିକର ରାଙ୍କିଂ ନୁହେଁ, ବରଂ ବଡ଼ ବ୍ୟବସାୟିକ ସମୂହଗୁଡ଼ିକର ରାଙ୍କିଙ୍ଗକୁ ମଧ୍ୟ ବଦଳାଇ ଦେଇଛି।
ଏହି ତୁଳନା ବ୍ୟବସାୟିକ ସମୂହଗୁଡ଼ିକର ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମିଳିତ ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପିଟାଲାଇଜେସନ୍) ଆଧାରରେ କରାଯାଇଛି। ରିଲାଏନ୍ସ ସମୂହର ମାର୍କେଟ୍ କ୍ୟାପ୍ ହିସାବ କରିବା ସମୟରେ ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ କୁ ସାମିଲ କରାଯାଇନାହିଁ।


