ଭଞ୍ଜନଗର: ବନ୍ୟାରେ ଘରଦ୍ୱାର ହରାଇଲେ, ଏବେ ସହାୟତା ଅପେକ୍ଷାରେ ବାସହରା ପରିବାର। ପ୍ରଶାସନଠାରୁ ବନ୍ୟା ସହାୟତା ଓ କ୍ଷତିପୂରଣ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ପ୍ରଭାବିତ ଲୋକେ। ଭଞ୍ଜନଗର-ବ୍ରହ୍ମପୁର ଜାତୀୟ ରାଜପଥର ବଡ଼କୋଦଣ୍ଡା ଛକ ବାଇପାସ୍ ରାସ୍ତାରେ ଅବରୋଧ କରି ଆନ୍ଦୋଳନ କରିଛନ୍ତି।
ଅଭିଯୋଗ ଅନୁସାରେ, ମଶାଣି ସାହିର ୧୨ଟି ଘର ବନ୍ୟାରେ ଭାସିଯାଇଛି। ଏଥିଯୋଗୁଁ ଅନେକ ପରିବାର ଘରଦ୍ୱାର ହରାଇ ବାସହରା ହୋଇପଡ଼ିଛନ୍ତି। ଘର ନଷ୍ଟ ହେବା ପରେ ମଧ୍ୟ ସେମାନଙ୍କୁ ଆବଶ୍ୟକୀୟ ବନ୍ୟା ସହାୟତା ଓ କ୍ଷତିପୂରଣ ମିଳିନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।
ବାରମ୍ବାର ଦାବି ସତ୍ତ୍ୱେ ସହାୟତା ନମିଳିବାରୁ ଶେଷରେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ପ୍ରଭାବିତ ପରିବାର। ବନ୍ୟାରେ ଘର ହରାଇଥିବା ଲୋକଙ୍କୁ ତୁରନ୍ତ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଏହି ଅବରୋଧ ଯୋଗୁଁ ଭଞ୍ଜନଗର-ବ୍ରହ୍ମପୁର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କ ଦାବି ଉପରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଏବେ ଅପେକ୍ଷାର ବିଷୟ।


