Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ବନ୍ୟା ବିପତ୍ତି, ଫୁଲୁଛି ମହାନଦୀ, ବିଭିନ୍ନ ସ୍ଥାନରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତ୍ତୟନ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଗଲାଣି। ଲୋକମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ମୁଖ୍ୟତଃ ତଳିଆ ଗାଁଗୁଡିକ ଜଳବନ୍ଦୀ ହୋଇ ରହିଛନ୍ତି। ସେଠାରେ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ପରବର୍ତ୍ତି ସମୟରେ ଏହା ଭୟଙ୍କର ହେବ ବୋଲି ଜଣାପଡିଛି।

ସେପଟେ ନଦୀ ଫୁଲିବା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କେଉଁ ମୁହୁର୍ତ୍ତରେ ନଦୀବନ୍ଧ ଭାଙ୍ଗିଯିବ ତାହା କହି ହେବ ନାହିଁ। ସେଥିପାଇଁ ଦୁବର୍ଳ ସ୍ଥାନରେ ପ୍ରଶାସନ ଜଗି ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଜଳସେଚନ ଇଂଜିନିୟର, ସ୍ଥାନୀୟ ପୋଲିସ, ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଚବିଶ ଘଣ୍ଟିଆ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଗୁଆ ସତର୍କ ହେବା ପାଇଁ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮ ଟି ଏନଡିଆରଏଫ , ୧୩ ଟି ଓଡ୍ରାଫ ଦଳ ଏବଂ ୨୩ ଟି ଅତିରିକ୍ତ ଅଗ୍ନିଶମ ଦଳକୁ ୧୫ ଟି ଜିଲ୍ଲାରେ ନିୟୋଜିତ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କଟକ, ପୁରୀ, ଖୋର୍ଧା ଏବଂ ଜଗତସିଂହପୁର।

ମହାନଦୀର ଜଳସ୍ତର ବର୍ତ୍ତମାନ ଭୟଙ୍କର ସ୍ଥିତିରେ ରହିଛି। ମୁଣ୍ଡଳି ଦେଇ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଗୁଡିକ ହେଲା ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା। ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ଆଜି ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ମୁହାଁଇଛି। ଆଗକୁ ଏହା ଦୁର୍ବଳ ହୋଇ ଅବପାତ ଓ ସଦୃଶ୍ୟ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଆହୁରି ୧୨ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଅଧିକାଂଶ ସ୍ଥାନରେ ୨ଶହ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୧୦ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ନୟାଗଡ଼, ନବରଙ୍ଗପୁର ଓ ଯାଜପୁରରେ ପ୍ରବଳ ବର୍ଷା ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ସେପଟେ ଛତିଶଗଡ଼ରେ ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ମହାନଦୀ ଜଳସ୍ତର ବଢିପାରେ

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଚିକିତ୍ସା ଓ ଟୀକାକରଣରେ ୟୁଜର୍ସ ଫି ଛାଡ଼ କଲେ ସରକାର

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସଂପଦର ଚିକିତ୍ସା ଓ ଟୀକାକରଣ ଆଦିକୁ ୟୁଜର୍ସ ଫି ଛାଡ଼ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରସ୍ତାବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍‌ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛାଡ଼ କରାଯାଇଛି । ଅଗଷ୍ଟ ୧୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ ଫି ଛାଡ଼ କରାଯାଇଛି। ପ୍ରାଣୀଧନମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି ନିଆଯିବ ନାହିଁ।

ଏଥି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟୀକାକରଣ ନିମନ୍ତେ ବ୍ୟାପକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଏସ୍‌ଡ଼ିଆର୍‌ଏଫ୍‌ ମାର୍ଗଦର୍ଶିକା ଅନୁସାରେ ଗୋପାଳନରେ ନିୟୋଜିତ ଚାଷୀମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀଧନର ସୁରକ୍ଷା ଓ ତୁରନ୍ତ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀମାନଙ୍କୁ ଏ ଦିଗରେ ଜରୁରୀକାଳୀନ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବନ୍ୟା ପାଇଁ ବାତିଲ ହେଲା ଏଏସଓ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବନ୍ୟା ଦେଖା ଦେଇଥିବାରୁ କେହି ଘରୁ ବାହାରି ପାରୁ ନାହାଁନ୍ତି। ଏପରି ପରିସ୍ଥିତିକୁ ଲକ୍ଷ ରଖି ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ବାରା ହେବାକୁ ଥିବା ଏଏସଓ ପରୀକ୍ଷାକୁ ବାତିଲ କରାଯାଇଛି।

ଏ ନେଇ କମିସନର କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ପରିସ୍ଥିତି ପାଇଁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା 21 ତାରିଖ ରବିବାରରେ ହେବାକୁ ଥିଲା। ତେବେ ପରବର୍ତ୍ତି ପରୀକ୍ଷା ଦିନ ପରେ ଜଣାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ ପାଇଁ କୃଷି ବିଭାଗ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଏବଂ ଆବଶ୍ୟକ ସ୍ଥଳେ ବିକଳ୍ପ ଫସଲ ଚାଷ ନିମନ୍ତେ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ଏ ଦିଗରେ ପୂର୍ବପ୍ରସ୍ତୁତି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚଳିତ ଖରିଫରେ ବିକଳ୍ପ ଚାଷର କଣ୍ଟିଜେନ୍‌ସି ପ୍ଲାନ୍‌ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିପର୍ଯ୍ୟୟ ପରିଚାଳନାର ମାର୍ଗଦର୍ଶିକାକୁ ଅନୁପାଳନ ସମେତ ବନ୍ୟା ପରିସ୍ଥିତିରେ ଚାଷୀମାନେ କଅଣ କରିବେ ଓ କଅଣ କରିବେ ନାହିଁ, ସେ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନଙ୍କୁ ଫସଲର ସୁରକ୍ଷା ନିମନ୍ତେ ଧାନଜମିରୁ ଉଦ୍‌ବୃତ ଜଳକୁ ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି।

ଏଥି ସହିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୃଷକମାନଙ୍କ ନିମନ୍ତେ ଜାରି କରାଯାଇଥିବା ଫସଲ ପରିଚାଳନା ପରାମର୍ଶଗୁଡ଼ିକୁ ଚାଷୀମାନଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ କ୍ଷେତ୍ର କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଆଡ୍‌ଭାଇଜରୀରେ ଧାନ ସହିତ ମକା, ଡାଲିଜାତୀୟ ଫସଲ, ଚିନାବାଦାମ ଓ କପା ଫସଲର ସୁରକ୍ଷା ଦିଗରେ ଚାଷୀମାନଙ୍କୁ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଉଛି।

ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ‘ଆମ କୃଷି’ ହେଲ¬ଲାଇନ୍‌ ଟୋଲଫି୍ର ନମ୍ବର-୧୫୫୩୩୩ରେ ଫୋନ କରି ଚାଷୀମାନଙ୍କୁ କୃଷି ବିଶେଷଜ୍ଞମାନଙ୍କଠାରୁ ଏ ଦିଗରେ ଆବଶ୍ୟକ ପରାମର୍ଶ ନେବା ପାଇଁ କୁହାଯାଇଛି । ବନ୍ୟା ପରିସ୍ଥିତିରେ ଧାନ ଫସଲରେ ରୋଗପୋକ ଲାଗିବାର ସମ୍ଭାବନା ଥିବାରୁ ରୋଗପୋକ ନିୟନ୍ତ୍ରଣ ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ନିୟମିତ ଭାବରେ ବନ୍ୟାର ପରିସ୍ଥିତି ଓ ଫସଲର ସ୍ଥିତି ସଂପର୍କରେ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୃଷି ଅଧିକାରୀମାନେ ଫସଲର ସ୍ଥିତି ସଂପର୍କରେ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭବନଠାରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (ଫୋନ୍‌ ନମ୍ବର ୦୬୭୪-୨୩୯୩୨୪୨) କାର୍ଯ୍ୟକ୍ଷମ କରାଯାଇଛି ଏବଂ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ନୋଡାଲ ଅଧିକାରୀଙ୍କୁ ନିୟମିତ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ଏବଂ କ୍ଷେତ୍ର କୃଷି ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ବନ୍ୟା ପରିସ୍ଥିତିରେ ଫସଲ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଯୁଗ୍ମ ସର୍ଭେକ୍ଷଣ ପରେ ଫସଲ କ୍ଷୟକ୍ଷତିର ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା, ଦେଖନ୍ତୁ କଣ କହୁଛନ୍ତି ସରକାର

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଉନ୍ନୟନ କମିଶନର ତଥା ଏସଆରସି ଶ୍ରୀ ପ୍ରଦୀପ କୁମାର ଜେନା ବିଭିନ୍ନ ସଂଯୋଗକାରୀ ନଦୀ ଦ୍ବାରା ମହାନଦୀକୁ ପ୍ରବଳ ଜଳ ପ୍ରବାହରୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି।

କନ୍ଧମାଳରୁ ଜଗତସିଂହପୁର ଏବଂ କେନ୍ଦ୍ରାପଡା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଏହା ଘଟିଛି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳ ସମ୍ପଦ ବିଭାଗର ବରିଷ୍ଠ ଇଂଞ୍ଜିନିୟର ତଥା ରାଜ୍ୟ ବନ୍ୟା ପରିଚାଳନା ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ସମସ୍ତ ଇନପୁଟକୁ ବିଚାର କରି ମୁଖ୍ୟ ସଚିବ ମହାନଦୀ ନଦୀ ପ୍ରଣାଳୀର ନିମ୍ନ ଭାଗରେ ବନ୍ୟା ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦର 8 ଟି ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି 9 ଟା ପର୍ଯ୍ୟନ୍ତ ଯେତେବେଳେ ପରିସ୍ଥିତିର ପୁନଃସମୀକ୍ଷା କରାଯିବ ସେତେବେଳ ପର୍ଯ୍ୟନ୍ତ ଏହାକୁ ବନ୍ଦ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର : ବର୍ତ୍ତମାନ ସୁଦ୍ଧା 85 ଜଣଙ୍କର ମୃତ୍ୟୁ, 33 ଲକ୍ଷ ଲୋକ ପ୍ରଭାବିତ

ଆସାମ: ଆସାମରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମଙ୍ଗଳବାର ଦିନ ଆଉ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରାଜ୍ୟର 28 ଟି ଜିଲ୍ଲାର 33 ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଦିବ୍ରୁଗଡ଼ ଜିଲ୍ଲାରେ ତିନି ଜଣ, ଟିନସୁକିଆ ଏବଂ ବାରପେଟା ଜିଲ୍ଲାରେ ଦୁଇଜଣ ଏବଂ ବିଶ୍ୱନାଥ ଏବଂ ଗୋଲାଘାଟ ଜିଲ୍ଲାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଘଟଣାରେ 85 ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟସରକାରଙ୍କ ସୂଚନା ଅନୁସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ବାରପେଟା ଯେଉଁଠାରେ 5.50 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ବ୍ୟତୀତ ଧୁବ୍ରିରେ 4.11 ଲକ୍ଷ ଲୋକ, ମୋରିଗାଓଁରେ 4.08 ଲକ୍ଷ ଏବଂ ଦକ୍ଷିଣ ସଲମାଡା ଜିଲ୍ଲାର 2.25 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ସୋମବାର 27 ଟି ଜିଲ୍ଲାରେ ପ୍ରାୟ 22 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡିକରେ ପ୍ରବାହିତ ହେଉଥିବା ବନ୍ୟା ଜଳ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ ପ୍ରଭାବିତ କରିଥିବା ଜଣାପଡିଛି ।