ଉଜ୍ଜୟିନୀ: ମୃତ୍ୟୁର ଚାମ୍ବର ପାଲଟିଲା ହୋଟେଲ ପରିସର! ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଆଖି ପିଛୁଳାକେ ଚାଲିଗଲା ୪ ଜଣଙ୍କ ଜୀବନ। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ଦେୱାସ ରୋଡର ଶ୍ରୀ ଗଙ୍ଗା ହୋଟେଲରେ ଘଟିଛି ଏଭଳି ଛାତିଥରା ଦୁର୍ଘଟଣା। ହୋଟେଲ ପରିସରରେ ଥିବା ଖାଦ୍ୟ ଅପଚୟ ଟାଙ୍କିର ଚାମ୍ବରକୁ ଓହ୍ଲାଇଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଗ୍ୟାସ୍ ଲିକ୍ ଯୋଗୁଁ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ମୃତକମାନେ ହେଲେ ୱାହିଦ, ମନୋଜ, କମଲେଶ ଓ ନୀତିନ। ସୂଚନା ଅନୁସାରେ, ହୋଟେଲ ପଛପଟେ ବଳକା ଖାଦ୍ୟ ସଂଗ୍ରହ ଓ ନିଷ୍କାସନ ପାଇଁ ଏକ ଚାମ୍ବର ନିର୍ମାଣ କରାଯାଇଥିଲା। ରାତିରେ ଜଣେ କର୍ମଚାରୀ କାମ ପାଇଁ ଚାମ୍ବର ଭିତରକୁ ଓହ୍ଲାଇଥିଲେ। କିନ୍ତୁ ସେ ଆଉ ବାହାରକୁ ଆସିପାରି ନଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜଣଙ୍କ ପରେ ଜଣେ ଅନ୍ୟ ତିନି ଜଣ ମଧ୍ୟ ଚାମ୍ବର ଭିତରକୁ ଓହ୍ଲାଇଥିଲେ। ହେଲେ ବିଷାକ୍ତ ଗ୍ୟାସ୍ ଯୋଗୁଁ ସମସ୍ତେ ଅଚେତ ହୋଇଯାଇଥିଲେ। ଖବର ପାଇ ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ଉଜ୍ଜୟିନୀ ପୋଲିସ ଅଧୀକ୍ଷକ ପ୍ରଦୀପ ଶର୍ମାଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରେ ଗ୍ୟାସ୍ ଲିକ୍ ହିଁ ଦୁର୍ଘଟଣାର କାରଣ ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ଜିଲ୍ଲାପାଳ ରୋଶନ କୁମାର ସିଂହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲ ପରିଚାଳନାରେ କୌଣସି ଅବହେଳା ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ। ଅବହେଳା ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ପ୍ରାୟ ୧୦ ବର୍ଷ ଧରି ଶ୍ରୀ ଗଙ୍ଗା ହୋଟେଲ କାର୍ଯ୍ୟକ୍ଷମ ଥିବାବେଳେ ଏହା ସହ ଜଡ଼ିତ ସଂସ୍ଥା ଉଜ୍ଜୟିନୀରେ ପ୍ରାୟ ୫୦ ବର୍ଷ ଧରି ବ୍ୟବସାୟ କରୁଛି। ଏବେ ଏହି ମୃତ୍ୟୁର କାରଣ ଓ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।


