ଭୁବନେଶ୍ୱର: ଆକାଶରେ ଉଡ଼ୁଥିଲା ବିମାନ, ହେଲେ କିଛି ସେକେଣ୍ଡରେ ପାଲଟିଗଲା ମୃତ୍ୟୁର ଯନ୍ତା! ହଠାତ୍ ଆକାଶରୁ ଖସିଲା, ରାସ୍ତାରେ ପିଟି ହୋଇ ଜଳିଗଲା। ଚାହୁଁ ଚାହୁଁ ନିଆଁର ଆଁରେ ଲୀନ ହୋଇଗଲା ୯ ଜୀବନ। ଆମେରିକାର ଦକ୍ଷିଣ ଫ୍ଲୋରିଡାରେ ଘଟିଥିବା ଏହି ଲୋମଟାଙ୍କୁରା ବିମାନ ଦୁର୍ଘଟଣା ଦେଖି ସ୍ତବ୍ଧ ହୋଇଯାଇଛନ୍ତି ଲୋକେ। ବିମାନଟି ଏକ ବ୍ୟସ୍ତବହୁଳ ରାସ୍ତାରେ ଖସିପଡ଼ିବା ପରେ ଏତେ ଭୟଙ୍କର ଧକ୍କା ହୋଇଥିଲା ଯେ ରାସ୍ତାରେ ସୃଷ୍ଟି ହୋଇଥିଲା ବିଶାଳ ଗର୍ତ୍ତ। ଚାରିଆଡ଼େ ଖେଳିଯାଇଥିଲା କଳା ଧୂଆଁ ଓ ନିଆଁର ଆତଙ୍କ। ବିମାନରେ ଥିବା ସମସ୍ତ ୯ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛି ନିକଟସ୍ଥ ଆବାସିକ ଅଞ୍ଚଳ।
ସୂଚନା ଅନୁସାରେ, ଦକ୍ଷିଣ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟି ଅନ୍ତର୍ଗତ କ୍ରେସଥାଭେନ୍ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ମିଲିଟାରୀ ଟ୍ରେଲ୍ ନାମକ ଏକ ବ୍ୟସ୍ତବହୁଳ ଛଅ ଲେନ୍ ବିଶିଷ୍ଟ ରାସ୍ତାରେ ଖସିପଡ଼ିଥିଲା। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ଓ ରେଷ୍ଟୁରାଣ୍ଟ ରହିଛି। ବିମାନଟି ରାସ୍ତାରେ ପଡ଼ିବା ମାତ୍ରେ ଭୟଙ୍କର ନିଆଁ ଲାଗିଯିବା ସହ କଳା ଧୂଆଁର ଘନ ଆସ୍ତରଣ ଆକାଶକୁ ଉଠିଥିଲା। ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା ଭୟ ଓ ଆତଙ୍କର ବାତାବରଣ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଦୁର୍ଘଟଣାସ୍ଥଳଟି ଆବାସିକ ଅଞ୍ଚଳର ଅତି ନିକଟରେ ଥିଲା। ବିମାନଟି ଘର ଓ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକଠାରୁ ଅଳ୍ପ ଦୂରରେ ଖସିପଡ଼ିଥିଲା। ଯଦି ଏହା ଘର ଉପରେ ପଡ଼ିଥାନ୍ତା, ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିଥାନ୍ତା ବୋଲି ଆଶଙ୍କା କରାଯାଉଛି।
ଏହି ଭୟଙ୍କର ଦୁର୍ଘଟଣାର ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିଛି। ରାସ୍ତାରେ କାର୍ରେ ଯାତ୍ରା କରୁଥିବା କିଛି ଲୋକ ନିଜ କ୍ୟାମେରାରେ ଏହି ଲୋମଟାଙ୍କୁରା ଦୃଶ୍ୟକୁ କଏଦ କରିଛନ୍ତି। ଭିଡିଓରେ ବିମାନଟି ଆକାଶରୁ ଦ୍ରୁତ ଗତିରେ ତଳକୁ ଖସୁଥିବା, ରାସ୍ତାରେ ଧକ୍କା ଖାଇବା ପରେ ବିସ୍ଫୋରଣ ସହ ନିଆଁରେ ଜଳିଉଠୁଥିବା ଦେଖିବାକୁ ମିଳିଛି। କିଛି ସମୟ ମଧ୍ୟରେ ଘଟଣାସ୍ଥଳରୁ ଘନ କଳା ଧୂଆଁ ଉଠି ସମଗ୍ର ଅଞ୍ଚଳକୁ ଘୋଡ଼ାଇ ଦେଇଥିଲା।
ଆମେରିକାର ପରିବହନ ସଚିବ ସିଆନ୍ ଡଫି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ, ରବିବାର ଦିନ ଆମେରିକାର ପୂର୍ବାଞ୍ଚଳ ସମୟ ପ୍ରାୟ ୧୨ଟା ୫୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଟେକ୍ସାସର ଅଷ୍ଟିନରୁ ଉଡ଼ାଣ ଆରମ୍ଭ କରି ବାହାମାସ ଅଭିମୁଖେ ଯାଉଥିଲା। ସେ ଏହାକୁ ଏକ ଭୟଙ୍କର ଦୁର୍ଘଟଣା ବୋଲି କହିବା ସହ ମୃତକଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।
ଅଷ୍ଟିନ-ବର୍ଗଷ୍ଟ୍ରମ୍ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର ଜିମ୍ ରେନାଲ୍ଡସ୍ ମଧ୍ୟ ଏହା ଏକ ଘରୋଇ ଭାବେ ପରିଚାଳିତ ବିମାନ ଥିଲା ବୋଲି ସ୍ପଷ୍ଟ କରିଛନ୍ତି। ବିମାନର ଟେଲ୍ ନମ୍ବର N722BD ବୋଲି ସେ ସୂଚନା ଦେଇଛନ୍ତି। ତେବେ ତୁରନ୍ତ ଯାତ୍ରୀମାନଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ। ରେନାଲ୍ଡସ୍ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି।
ଏହି ଦୁର୍ଘଟଣାସ୍ଥଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସିଦ୍ଧ ରିସର୍ଟ ମାର୍-ଏ-ଲାଗୋଠାରୁ ପ୍ରାୟ ୯ ମାଇଲ୍ ବା ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏହି ଘଟଣା ପରେ ପାମ୍ ବିଚ୍ କାଉଣ୍ଟି ସେରିଫ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଲିଟାରୀ ଟ୍ରେଲ୍ ରାସ୍ତାକୁ ଏଡ଼ାଇବା ପାଇଁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ଯାତାୟାତ ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି।
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଓ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ସହାୟତା ପାଇଁ FAA ଏକ ସ୍ୱତନ୍ତ୍ର ଟିମ୍କୁ ଘଟଣାସ୍ଥଳକୁ ପଠାଉଛି। ବିମାନଟି କାହିଁକି ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିଲା, ଏଥିରେ ଯାନ୍ତ୍ରିକ ତ୍ରୁଟି ଥିଲା ନା ପାଣିପାଗ ଏହାର କାରଣ ଥିଲା, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଆମେରିକାରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ ରହିଛି।


