କଟକ: ଜଣେ ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଫସିଥିବା ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ତାଙ୍କ ସହଯୋଗୀ କୁଲ୍ଦୀପ୍ ରଥଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍କୁ ଖାରଜ କରିବା ପାଇଁ ସେମାନେ ହାଇକୋର୍ଟରେ ଆବେଦନ କରିଛନ୍ତି । ଉଭୟଙ୍କ ବିରୋଧରେ ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା ଏଫ୍ଆଇଆର୍କୁ ଖାରଜ କରିବା ପାଇଁ ସେମାନେ ହାଇକୋର୍ଟରେ ପୃଥକ ପୃଥକ କ୍ରିମିନାଲ୍ ମିସ୍ଲେନିୟସ୍ କେଶ୍ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ନାଥଙ୍କ ସହଯୋଗୀ କୁଲ୍ଦୀପ୍ ରଥ ହାଇକୋର୍ଟରେ କେବଳ ଆଗୁଆ ଜାମିନ ଆବେଦନ କରିଛନ୍ତି ।
ସୂଚନାଥାଉକି ଚୌଦ୍ୱାର ଜେଲ୍ର ଜଣେ ପୂର୍ବତନ ମହିଳା ଜେଲର୍ ଅଭିଯୋଗ କରିଛନ୍ତି ଯେ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଚୌଦ୍ୱାର ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ନିଜକୁ ଡିଜି (ଜେଲ୍) ସୁଶାନ୍ତ ନାଥଙ୍କ ବନ୍ଧୁ ଭାବେ ପରିଚୟ ଦେଇଥିଲେ । ଏହି ସମୟରେ କୁଲ୍ଦୀପ୍ ତାଙ୍କ ମୋବାଇଲ ଫୋନ୍ ନମ୍ବର ମଧ୍ୟ ନେଇଥିଲେ। ତେବେ ପରବର୍ତୀ ସମୟରେ କୁଲ୍ଦୀପ୍ ତାଙ୍କୁ କିଛି ଅଶ୍ଳିଳ ମେସେଜ୍ ପଠାଇଥିଲେ । ଏଥି ସହିତ ଗତ ୨୦୨୫ ଅଗଷ୍ଟ ୨୯ ଓ ସେପ୍େଟମ୍ବର ୨୫ ଓ ୨୬ ତାରିଖରେ ଏକ ହୋଟେଲକୁ ଏକୁଟିଆ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଉକ୍ତ ହୋଟେଲ୍ରେ ଡିଜି ମହିଳା ଜେଲ୍ରଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ସେ କହିଥିଲେ। ତେବେ କୁଲ୍ଦୀପ୍ ରଥଙ୍କ ନିମନ୍ତ୍ରଣକୁ ମହିଳା ଜେଲର୍ ଜଣକ ଗ୍ରହଣ କରିନଥିଲେ । ଫଳରେ ଜେଲ୍ ଡିଜି ଶ୍ରୀ ନାଥ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ମହିଳା ଜେଲର୍ ଜଣକ ଚୌଦ୍ୱାର ଥାନାରେ ଜେଲ୍ ଡିଜି ସୁଶାନ୍ତ ନାଥ ଓ କୁଲ୍ଦୀପ୍ ରଥଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ଉଭୟଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ତେବେ ଶ୍ରୀ ନାଥଙ୍କ ବିରୋଧରେ ମହିଳା ଜେଲର୍ ଜଣକ ଏପରି ସଙ୍ଗୀନ୍ ଅଭିଯୋଗ ଆଣିବା ପରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଜେଲ୍ ଡିଜି ପଦରୁ ହଟାଇ ଦେଇ ଅନ୍ୟତ୍ର ବଦଳି କରିଥିଲେ ।


