Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?
ଆଜିର ଖବର

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୋଦି ବନାମ ରାହୁଲ! ବୟାନବାଜିରୁ ଆରମ୍ଭ ହୋଇଥିବା ରାଜନୈତିକ ଲଢ଼େଇ ଏବେ ଖୋଲା ବିତର୍କର ଚ୍ୟାଲେଞ୍ଜରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି ବିଦେଶୀ ସହାୟତାରେ କ୍ଷମତାକୁ ଆସିଥିବା ଅଭିଯୋଗ ଆଣିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏପରିକି ଯେକୌଣସି ମଞ୍ଚରେ, ଯେକୌଣସି ସମୟରେ ମୋଦିଙ୍କ ସହ ଖୋଲା ବିତର୍କ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ଶିବିରରେ ତୀବ୍ର ପ୍ରତିକ୍ରିୟା। ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପର୍ଯ୍ୟନ୍ତ ସମସ୍ତେ ରାହୁଲଙ୍କୁ ଘେରିଛନ୍ତି। କେହି ତାଙ୍କୁ ରାଜନୈତିକ ଭାବେ ଦୁର୍ବଳ କହିଛନ୍ତି ତ ଆଉ କେହି ବିଦେଶୀ ଶକ୍ତିଙ୍କ ହାତରେ ଖେଳୁଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ କଂଗ୍ରେସ ମଧ୍ୟ ପଛକୁ ହଟିବାକୁ ନାରାଜ। ତେବେ ରାହୁଲଙ୍କ ଚ୍ୟାଲେଞ୍ଜକୁ ନେଇ କାହିଁକି ଏତେ ତାତିଛି ବିଜେପି? ମୋଦି-ରାହୁଲଙ୍କ ଲଢ଼େଇରେ ଏବେ କାହାର ପଲ୍ଲା ଭାରୀ?

ରାହୁଲଙ୍କ ଆକ୍ରମଣ: ମୋଦିଙ୍କୁ ସିଧା ବିତର୍କ ପାଇଁ ଚ୍ୟାଲେଞ୍ଜ
ଜାତୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣକୁ ନେଇ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପାଲଟା ଆକ୍ରମଣ କରିଥିଲେ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ମୋଦିଙ୍କୁ ଦେଶବାସୀଙ୍କୁ ମିଛ କହିବା ବନ୍ଦ କରିବାକୁ କହିଥିଲେ।

ରାହୁଲଙ୍କ ଅଭିଯୋଗ ଅନୁସାରେ, ମୋଦି ବିଦେଶୀ ସହାୟତାରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ତାଙ୍କ ସରକାରଙ୍କ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ବିଦେଶୀ ଶକ୍ତିଙ୍କ ନିୟନ୍ତ୍ରଣ ଓ ସମର୍ଥନରେ ଚାଲିଛି। ଏପରିକି ବିଦେଶୀ ସୋସିଆଲ ମିଡିଆ ମଧ୍ୟ ମୋଦିଙ୍କ ପଛରେ ରହିଥିବା ସେ ଦାବି କରିଛନ୍ତି।

ଏହା ସହ ରାହୁଲ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ପ୍ରସ୍ତୁତ। ମଞ୍ଚ ଓ ସମୟ ଯାହା ହେଉ, ସେ ବିତର୍କକୁ ଆସିବେ। ଯଦି ମୋଦିଙ୍କର ସାହସ ଅଛି, ତେବେ ସେ ଏହି ଆହ୍ୱାନ ଗ୍ରହଣ କରନ୍ତୁ ବୋଲି ରାହୁଲ କହିଛନ୍ତି।

ଅମିତ ଶାହଙ୍କ ପାଲଟା ହମଲା: ଭେଣ୍ଟିଲେଟରରେ କଂଗ୍ରେସ!
ରାହୁଲଙ୍କ ଆକ୍ରମଣ ପରେ ଚୁପ୍ ବସିନାହାନ୍ତି ଗୃହମନ୍ତ୍ରୀ ଅମିତ ଶାହ। ହାଇଦ୍ରାବାଦରେ ବିଜେପିର ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୋଭାଯାତ୍ରାରେ ଯୋଗଦେଇ ସେ କଂଗ୍ରେସ ଓ ରାହୁଲଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଥିଲେ।

ଶାହ କହିଥିଲେ, କଂଗ୍ରେସ ନିଜେ ଭେଣ୍ଟିଲେଟରରେ ରହିଛି। ଏଭଳି ସ୍ଥିତିରେ ଏହି ଦଳ ମୋଦିଙ୍କ ସହ ମାରାଥନ ଦୌଡ଼ିବାକୁ କିପରି ସକ୍ଷମ ହେବ? ରାହୁଲଙ୍କୁ ଆହୁରି କଟାକ୍ଷ କରି ସେ କହିଥିଲେ, ମୋଦିଙ୍କୁ ଛାଡ଼ନ୍ତୁ, ତେଲେଙ୍ଗାନାର ଯୁବ ମୋର୍ଚ୍ଚା ସଭାପତି ମଧ୍ୟ ତାଙ୍କୁ ପରାସ୍ତ କରିପାରିବେ।

ଏହା ସହ ଦିଲ୍ଲୀରେ ନଭେମ୍ବର ୧ରେ ହୋଇଥିବା କଂଗ୍ରେସର ‘ଭୋଟ ବଞ୍ଚାଅ’ ରାଲିକୁ ଶାହ ‘ଅନୁପ୍ରବେଶକାରୀଙ୍କୁ ବଞ୍ଚାଅ’ ରାଲି ବୋଲି କହିଥିଲେ। ତାଙ୍କ ଅଭିଯୋଗ ଥିଲା, ଅବୈଧ ପ୍ରବାସୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କଂଗ୍ରେସ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR)କୁ ବିରୋଧ କରୁଛି।

ନକଲି ସଂସଦରେ ପ୍ରଧାନମନ୍ତ୍ରୀ ହୋଇପାରିବେ ରାହୁଲ!
ରାହୁଲଙ୍କ ରାଜନୈତିକ ଆକାଂକ୍ଷାକୁ ନେଇ ମଧ୍ୟ ଅମିତ ଶାହ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ନକଲି ସଂସଦରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି, କିନ୍ତୁ ପ୍ରକୃତ ସଂସଦରେ କେବେ ଏହି ପଦବୀରେ ପହଞ୍ଚିପାରିବେ ନାହିଁ।

ଏଥିସହ ଇଭିଏମ୍ ଓ ନିର୍ବାଚନୀ ପ୍ରକ୍ରିୟା ଉପରେ କଂଗ୍ରେସର ଆପତ୍ତିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଯଦି ନିର୍ବାଚନୀ ବ୍ୟବସ୍ଥା ଅବିଶ୍ୱସନୀୟ, ତେବେ ତେଲେଙ୍ଗାନା ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସ କିପରି ସରକାର ଗଠନ କଲା ବୋଲି ଶାହ ପ୍ରଶ୍ନ କରିଥିଲେ।

ସେ ରାହୁଲଙ୍କୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। ଲୋକଙ୍କ ମଧ୍ୟରେ ରହି ରାଜନୀତି କରିବା ପରିବର୍ତ୍ତେ ବିଦେଶରେ ଅଧିକ ସମୟ ବିତାଉଥିବା ନେଇ ମଧ୍ୟ ସେ ରାହୁଲଙ୍କୁ ସମାଲୋଚନା କରିଥିଲେ।

ରାହୁଲଙ୍କୁ ବିଦେଶୀ ଶକ୍ତିଙ୍କ ବନ୍ଦୀ କହିଲେ ନୀତିନ ନବୀନ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ନେଇ ତୀବ୍ର ଆକ୍ରମଣ କରିଛନ୍ତି। ବିହାରର ଭାଗଲପୁରରେ ଏକ ଶୋଭାଯାତ୍ରାକୁ ସମ୍ବୋଧିତ କରି ସେ କହିଥିଲେ ଯେ ବିଦେଶୀ ଟୁଲକିଟ୍ ମାଧ୍ୟମରେ ଭାରତର ଶକ୍ତିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ଚାଲିଛି।

କିଛି ବିଦେଶୀ ଶକ୍ତି ଭାରତର ବିକାଶ ଓ ବିଶ୍ୱସ୍ତରରେ ବଢ଼ୁଥିବା ପ୍ରଭାବକୁ ରୋକିବାକୁ ଚାହୁଁଛନ୍ତି। ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଏକ ବନ୍ଦୀ ଭାବରେ ବ୍ୟବହାର କରାଯାଉଛି ବୋଲି ନୀତିନ ନବୀନ ଅଭିଯୋଗ କରିଥିଲେ।

ସେ ଆହୁରି କହିଥିଲେ, ଭାରତର ୧୪୦ କୋଟି ଲୋକ ଗଣତନ୍ତ୍ରର ସମର୍ଥନରେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱ ସହ ରହିଛନ୍ତି। ବିଦେଶୀ ଶକ୍ତିଙ୍କ କୌଣସି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ।

କଂଗ୍ରେସର ପାଲଟା ଚ୍ୟାଲେଞ୍ଜ: ରାହୁଲ ବନାମ ମୋଦି, ଥରେ ବିତର୍କ ହେଉ!
ବିଜେପିର ଆକ୍ରମଣ ପରେ କଂଗ୍ରେସ ମଧ୍ୟ ଜବାବ ରଖିଛି। କଂଗ୍ରେସ ସାଂସଦ ପବନ ଖେରା ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସିଧାସଳଖ ବିତର୍କ ଆୟୋଜନ ପାଇଁ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସହ ବିତର୍କର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଭାରତରେ ମଧ୍ୟ ଏଭଳି ବିତର୍କ କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ପବନ ଖେରା କହିଥିଲେ, ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦିଙ୍କ ଲାଇଭ୍ ବିତର୍କ ହେଉ। ସମୟ ଓ ସ୍ଥାନ ମୋଦି ନିଜେ ସ୍ଥିର କରନ୍ତୁ। ଯେଉଁମାନେ ନିଜକୁ ବିଶ୍ୱଗୁରୁ କହୁଛନ୍ତି, ସେମାନେ ଖୋଲା ବିତର୍କରେ ନିଜ କାର୍ଯ୍ୟର ହିସାବ ଦେବାକୁ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ।

କେଉଁଠୁ ଆରମ୍ଭ ହେଲା ମୋଦି-ରାହୁଲ ବିବାଦ?
ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟରେ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରୁ ଏହି ବିବାଦର ସୂତ୍ରପାତ ହୋଇଥିଲା। ଏହି ଭାଷଣରେ ସେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ଦେଶକୁ ବିଭାଜିତ କରିବାକୁ କିଛି ଶକ୍ତି ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ।

ସୋସିଆଲ ମିଡିଆକୁ ବ୍ୟବହାର କରି ଗୁଜବ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଥିବା ନେଇ ମଧ୍ୟ ସେ ଚେତାବନୀ ଦେଇଥିଲେ। ଏହାର ଜବାବରେ ରାହୁଲ ଗାନ୍ଧୀ ବିଦେଶୀ ପ୍ରଭାବ ଓ ମୋଦିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଏବେ ଉଭୟ ପକ୍ଷର ବୟାନବାଜି ରାଜନୈତିକ ମାହୋଲକୁ ସରଗରମ କରିଛି। ଗୋଟିଏ ପଟେ ରାହୁଲଙ୍କ ଖୋଲା ବିତର୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହ ଓ ନୀତିନ ନବୀନଙ୍କ କଡ଼ା ଜବାବ। ଏବେ ସମସ୍ତଙ୍କ ନଜର ମୋଦିଙ୍କ ପ୍ରତିକ୍ରିୟା ଉପରେ। ରାହୁଲଙ୍କ ଚ୍ୟାଲେଞ୍ଜକୁ ମୋଦି ଗ୍ରହଣ କରିବେ ନା ଏହି ବିତର୍କ କେବଳ ରାଜନୈତିକ ବୟାନବାଜିରେ ସୀମିତ ରହିବ, ତାହା ଦେଖିବାକୁ ବାକି ରହିଲା।

amit shah BJP Congress Clash India Politics Modi Rahul Debate narendra modi Nitin Nabin Pawan Khera Political News rahul gandhi Rahul Gandhi Challenge Modi SIR Controversy Vote Bachao Rally
Share. Facebook Twitter LinkedIn Email WhatsApp Copy Link

Related Posts

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026
Latest News

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହୁଛି ଭାରତୀୟଙ୍କ ହସ୍ତକ୍ଷେପ

November 2, 2026

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.