ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତ। ରାସ୍ତା ଉପରେ ଖଣ୍ଡା ବୁଲାଇ ଖେଳାଇଲେ ଆତଙ୍କ। ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ସହ ଜଣେ ଘରୋଇ ମେଡିକାଲ କର୍ମଚାରୀଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି। ଏପରିକି ରାସ୍ତାରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ୮ରୁ ଅଧିକ ଦୁର୍ବୃତ୍ତଙ୍କ ଏଭଳି ଉତ୍ପାତ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।
ସୂଚନା ଅନୁସାରେ, ମୁଖା ପିନ୍ଧି ଆସିଥିବା ଦୁର୍ବୃତ୍ତମାନେ ହଠାତ୍ ବୁଦ୍ଧନଗର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ଜଣେ ଯୁବକଙ୍କୁ ଟାର୍ଗେଟ୍ କରି ତାଙ୍କ ପଛରେ ଗୋଡ଼ାଇଥିଲେ। ଶେଷରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ସମୟରେ ଜଣେ ଘରୋଇ ମେଡିକାଲର କର୍ମଚାରୀ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ପାରିନଥିଲେ। ତାଙ୍କୁ ମାଡ଼ ମାରିବା ସହ ଅଞ୍ଚଳରେ ଗାଡ଼ି ଭଙ୍ଗାରୁଜା କରିଥିଲେ।
ଏହି ଘଟଣା ପରେ ବୁଦ୍ଧନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଆକ୍ରମଣ ପଛର କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି।


