ନୂଆଦିଲ୍ଲୀ: ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି କି? ତେବେ ଏ ଖବର ଆପଣଙ୍କୁ ଚମକାଇ ଦେବା ଭଳି। ଆପଲ୍ ଆଇଫୋନ୍ କିବୋର୍ଡରେ ପ୍ରାୟ ୧ ଲକ୍ଷ ଶବ୍ଦ ଓ ବାକ୍ୟାଂଶର ଏକ ଗୁପ୍ତ ତାଲିକା ରହିଛି, ଯାହାକୁ କିବୋର୍ଡ ଅଟୋ-କରେକ୍ଟ, ପ୍ରେଡିକ୍ଟିଭ୍ ଟେକ୍ସଟ୍ ଓ ସ୍ୱାଇପ୍ ଟାଇପିଂ ସମୟରେ ପରାମର୍ଶକୁ ବଞ୍ଚିତ କରିଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଅଶ୍ଳୀଳ ଓ ଆପତ୍ତିଜନକ ଶବ୍ଦ ସହ ରାଜନୈତିକ ଭାବେ ସମ୍ବେଦନଶୀଳ ବାକ୍ୟାଂଶ ମଧ୍ୟ ଅଛି।
ଆଶ୍ଚର୍ଯ୍ୟର କଥା, ହିନ୍ଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁ ସ୍ୱାଇପ୍ ଟାଇପିଂରେ ସୁଝାଯାଏ ନାହିଁ। ତେବେ ଏହା କୌଣସି ଔପଚାରିକ ପ୍ରତିବନ୍ଧ ନୁହେଁ। ବ୍ୟବହାରକାରୀ ଏହି ଶବ୍ଦ ନିଜେ ଟାଇପ୍ କରି ମେସେଜ୍ ବା ଇ-ମେଲ୍ ପଠାଇ ପାରିବେ।
ତାଲିକାରେ କ’ଣ ଅଛି?
ଏହି ତାଲିକା ଖୋଜି ବାହାର କରିଥିବା ଗବେଷକ ଡେରେକ୍ କଫମ୍ୟାନ୍ ଏହାକୁ ହାଲୁକା ସେନ୍ସରସିପ୍ ବୋଲି କହିଛନ୍ତି। ତାଙ୍କ ମତରେ, ଆପଲ୍ ଭଳି ବଡ଼ କମ୍ପାନୀର ଛୋଟ ପରିବର୍ତ୍ତନ ମଧ୍ୟ ବଡ଼ ପ୍ରଭାବ ପକାଇପାରେ।
ତାଲିକାରେ ଗାଳି-ଗୁଲଜ, ନିଶାଦ୍ରବ୍ୟ, ଯୌନ କାର୍ଯ୍ୟକଳାପ ଓ ହିଂସା ସମ୍ବନ୍ଧୀୟ ଶବ୍ଦ ଛଡ଼ା ଅନେକ ରାଜନୈତିକ ବାକ୍ୟାଂଶ ଅଛି। ଯେପରି – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ‘ଡିକ୍ଟେଟର୍ ଟ୍ରମ୍ପ’, ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପାଇଁ ‘ସ୍ଲିପି ଜୋ’, ‘ରାଇଟ୍ ୱିଙ୍ଗ୍ କନ୍ସ୍ପିରେସି’, ‘ତିବେଟାନ୍ ଇଣ୍ଡିପେଣ୍ଡେନ୍ସ’ ଓ ‘ୟୁନାଇଟେଡ୍ ଆୟରଲ୍ୟାଣ୍ଡ’।
ଅଲଗା ଅଲଗା ଭାଷାରେ ମଧ୍ୟ ଏଭଳି ତାଲିକା ଅଛି। ଫ୍ରେଞ୍ଚରେ ‘ଇମିଗ୍ରେସନ୍ ଟୁ ହାଇ’ ଏବଂ ହିବ୍ରୁରେ ‘ଅକ୍ୟୁପାଇଡ୍ ଟେରିଟୋରିଜ୍’ ସ୍ୱାଇପ୍ ଟାଇପିଂରେ ଆସେ ନାହିଁ।
କେମିତି ଧରାପଡ଼ିଲା?
କଫମ୍ୟାନ୍ ସେପ୍ଟେମ୍ବରରେ ଏହା ଜାଣିବାକୁ ପାଇଥିଲେ। ସ୍ୱାଇପ୍ ଟାଇପିଂ ବେଳେ ‘ବ୍ୟାଡ୍ ବୟ’ ଓ ‘ହ୍ୱାଇଟ୍ ମ୍ୟାନ୍’ ଭଳି ଶବ୍ଦରେ କିବୋର୍ଡ ଅଟକି ଯାଉଥିବା ବେଳେ ‘ବ୍ୟାଡ୍ ଗାର୍ଲ’ ଓ ‘ବ୍ଲାକ୍ ମ୍ୟାନ୍’ ସହଜରେ ଲେଖାଯାଉଥିଲା।
ଏହା ପରେ ସେ ଓପନ୍ଏଆଇର କୋଡେକ୍ସ ଓ ଆନ୍ଥ୍ରୋପିକ୍ର କ୍ଲଡ୍ କୋଡ୍ ସାହାଯ୍ୟରେ iOS ସିଷ୍ଟମ୍ ଯାଞ୍ଚ କରି ଅପରେଟିଂ ସିଷ୍ଟମ୍ ଭିତରେ ଲୁଚି ରହିଥିବା ଏହି ତାଲିକା ପାଇଲେ। ତାଙ୍କ ଆକଳନ ଅନୁଯାୟୀ, ଚୀନ୍ ଅକ୍ଷର ଛଡ଼ା ଏଥିରେ ପ୍ରାୟ ୧ ଲକ୍ଷ ଏଣ୍ଟ୍ରି ଅଛି। ରଏଟର୍ସ ମଧ୍ୟ ସ୍ୱତନ୍ତ୍ର ଯାଞ୍ଚ କରି ‘ୟୁନାଇଟେଡ୍ ଆୟରଲ୍ୟାଣ୍ଡ’ ଓ ‘ସ୍ଲିପି ଜୋ’ ସ୍ୱାଇପ୍ରେ କାମ ନ କରିବା ନିଶ୍ଚିତ କରିଛି।
ଏଜେଣ୍ଟିକ୍ ଏଆଇ ସାଇବର ସୁରକ୍ଷା କମ୍ପାନୀ ଟୋଲ୍ମୋର ଇଞ୍ଜିନିୟର୍ ମ୍ୟାଟ୍ ସୁଇଚେ ମଧ୍ୟ ଏହି ତାଲିକା ପାଇ କଫମ୍ୟାନ୍ଙ୍କ ତଥ୍ୟ ସହ ମିଳାଇ ଦେଖିଛନ୍ତି। ତାଙ୍କ ମତରେ, ଏହି ତାଲିକା ଅନେକ ବର୍ଷ ଧରି ରହିଛି।
ପୂର୍ବରୁ ମଧ୍ୟ ବିବାଦ:
iOS ପ୍ରେଡିକ୍ଟିଭ୍ ଟେକ୍ସଟ୍ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି। ଏହି ସପ୍ତାହରେ ନରୱେର ଜଣେ ସିଷ୍ଟମ୍ ଆଡ୍ମିନ୍ ‘ଅଲ୍-କାଏଦା’, ‘ଅସ୍ୱିଟ୍ଜ୍’ ଭଳି ଶବ୍ଦର ତାଲିକା ଖୋଜି ପାଇଥିଲେ। ଗତ ବର୍ଷ ଆପଲ୍ ବିବାଦରେ ଫସିଥିଲା, ଯେତେବେଳେ ‘ରେସିଷ୍ଟ’ କହିବାରୁ ସ୍କ୍ରିନ୍ରେ ‘ଟ୍ରମ୍ପ’ ଦେଖାଯାଇଥିଲା। କମ୍ପାନୀ ଏହାକୁ ଯାନ୍ତ୍ରିକ ତ୍ରୁଟି ବୋଲି କହିଥିଲା।
ଏହି ନୂଆ ଖୁଲାସା ପରେ ପ୍ରଶ୍ନ ଉଠିଛି – ଟେକ୍ କମ୍ପାନୀ କେଉଁ ଆଧାରରେ ଶବ୍ଦକୁ ପରାମର୍ଶରୁ ହଟାନ୍ତି ଏବଂ ଏ ବିଷୟରେ ୟୁଜର୍ଙ୍କୁ କାହିଁକି ଜଣାଇ ଦିଆଯାଏ ନାହିଁ।


