ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ରିଲିଫ, ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏ ସମ୍ପର୍କରେ ଜିଲ୍ଲାପାଳ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବନ୍ୟା ପରବର୍ତ୍ତୀ ସ୍ଥିତିରେ ସାଧାରଣ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନିର୍ଦ୍ଦେଶ ଅନୁସାରେ ଜିଲ୍ଲା, ଉପଖଣ୍ଡ ଏବଂ ବ୍ଲକସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ରବିବାର ସତ୍ତ୍ୱେ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ରିଲିଫ ବଣ୍ଟନ, କ୍ଷତିପୂରଣ ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ନିର୍ଦ୍ଦେଶକୁ ଯଦି କୌଣସି କର୍ମଚାରୀ ଅବମାନନା କରନ୍ତି କିମ୍ବା କାର୍ଯ୍ୟାଳୟରେ ଅନୁପସ୍ଥିତ ରୁହନ୍ତି, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।


