ନୂଆଦିଲ୍ଲୀ: ଆସାମର ଗୁଆହାଟୀ ଉପକଣ୍ଠରେ ଏକ ରେଳ ଦୁର୍ଘଟଣା ଘଟିଛି। କୋଲକାତାର ଚିତପୁରରୁ ମିଜୋରାମର ଆଇଜୋଲସ୍ଥିତ ସାଇରାଙ୍ଗ ଅଭିମୁଖେ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ ଡିଗାରୁ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ ସହିତ ୫ରୁ ୬ଟି ବଗି ରେଳ ଧାରଣାରୁ ଓହଳି ପଡ଼ିଥିଲା। ତେବେ ସୌଭାଗ୍ୟବଶାତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନହାନି ଘଟିନାହିଁ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫୪ ମିନିଟ୍ ସମୟରେ ଅନ୍ୟ ଏକ ଟ୍ରେନକୁ ଯିବା ପାଇଁ ରାସ୍ତା ଦେବା ଉଦ୍ଦେଶ୍ୟରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସକୁ ଡିଗାରୁ ରେଳ ଷ୍ଟେସନରେ ଅଟକାଯାଉଥିଲା। ତେବେ ଟ୍ରେନର ଚାଳକ ଏହାର ଗତିକୁ ନିୟନ୍ତ୍ରଣ କରିପାରିନଥିଲେ, ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ବରିଷ୍ଠ ଅଧିକାରୀ, ମହାପ୍ରବନ୍ଧକ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏହି ଦୁର୍ଘଟଣାରେ କେବଳ ୪ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି ଏବଂ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଘଟଣାସ୍ଥଳରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିକଳ୍ପ ଟ୍ରେନର ବ୍ୟବସ୍ଥା କରାଯାଇଛି। ରେଳ ମନ୍ତ୍ରଣାଳୟ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।


