ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବନ୍ୟା ମନୁଷ୍ୟକୃତ ବୋଲି ଉଠିଥିବା ଅଭିଯୋଗକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରେସ୍ମିଟ୍ କରି ଖଣ୍ଡନ କରିଛନ୍ତି। ଏହି ବନ୍ୟା ପ୍ରବଳ ବର୍ଷା ଏବଂ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ହୋଇଛି, ଡ୍ୟାମ୍ ପରିଚାଳନାରେ ତ୍ରୁଟି ଯୋଗୁଁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଡ୍ୟାମ୍ ଗେଟ୍ ବିଳମ୍ବରେ ଏବଂ ବିନା ସୂଚନାରେ ଖୋଲିବା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ଆଣିବା ସହ ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିଥିଲେ। ଏହାର ଜବାବରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି। ପ୍ରେସ୍ମିଟ୍ରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ୧୯୯୦ ବନ୍ୟା ଏବଂ ଫାଇଲିନ୍ ବାତ୍ୟା ସମୟର ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ। ଋଷିକୂଲ୍ୟା ଏବଂ ବାହୁଦା ନଦୀର କ୍ୟାଚମେଣ୍ଟ ଏରିଆ ପ୍ରାୟ ୯୮୦୦ ବର୍ଗ କିଲୋମିଟର ଥିବା ବେଳେ ଜଳଭଣ୍ଡାର କେବଳ ୮୮୦ ବର୍ଗ କିଲୋମିଟର (ମାତ୍ର ୧୦ ପ୍ରତିଶତ)। ବାକି ୯୦ ପ୍ରତିଶତ ପାଣି ସିଧାସଳଖ ନଦୀକୁ ନିଷ୍କାସିତ ହୋଇଥାଏ। ଭାରି ବର୍ଷା ପୂର୍ବରୁ ଜଳଭଣ୍ଡାରର ଜଳସ୍ତର ୫୫ ରୁ ୬୫ ପ୍ରତିଶତ ଖାଲି କରାଯାଇଥିଲା। ପୁରୁଷୋତ୍ତମପୁରରେ ଜଳ ପ୍ରବାହ ୬୯,୭୦୦ କ୍ୟୁସେକ୍ ପହଞ୍ଚିଥିଲା, ଯାହା ନଦୀର ଧାରଣ କ୍ଷମତାର ପ୍ରାୟ ଦୁଇ ଗୁଣ। ସରକାରଙ୍କ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ଏବଂ ସମୟୋଚିତ ପଦକ୍ଷେପ ଯୋଗୁଁ କୌଣସି ମାନବ ଜୀବନ ହାନି ହୋଇନଥିବା ସେ ପ୍ରକାଶ କରିଛନ୍ତି। ପୁନରୁଦ୍ଧାର କାର୍ଯ୍ୟ ବାବଦରେ ସେ କହିଛନ୍ତି ଯେ ଗଞ୍ଜାମରେ ୯୯.୯୯ ପ୍ରତିଶତ ଗ୍ରାହକଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି, 4000ରୁ ଅଧିକ ନଳକୂପ ମରାମତି ହୋଇଛି ଏବଂ କ୍ଷତିଗ୍ରସ୍ତ ୪୨୦ଟି ପାଇପ୍ ଲାଇନ୍ ମଧ୍ୟରୁ ବାକି ୧୨ଟିର କାମ ଶୀଘ୍ର ଶେଷ ହେବ।


