ଭୁବନେଶ୍ୱର: ମାଛ ଚାଷ କରୁଥିବା ଚାଷୀ ହୁଅନ୍ତୁ କି ଜଳାଶୟରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ, ଏବେ ସମସ୍ତଙ୍କ ପାଇଁ ଆସିଛି ବଡ଼ ଖବର। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ବଜାରରେ ମାଛର ଦର ହ୍ରାସ, ଏଣିକି କ୍ଷତିର ବୋଝ ଏକାକୀ ବହନ କରିବାକୁ ପଡ଼ିବ ନାହିଁ। ମତ୍ସ୍ୟଜୀବୀଙ୍କ ଆୟକୁ ସୁରକ୍ଷା ଦେବା ସହ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଦୁଇଟି ନୂଆ ଯୋଜନା ଆରମ୍ଭ କରିଛନ୍ତି ହିମାଚଳ ପ୍ରଦେଶ ସରକାର। ଏହି ଯୋଜନା ଅଧୀନରେ ଟ୍ରାଉଟ୍ ମାଛ ଚାଷୀଙ୍କୁ ବିପର୍ଯ୍ୟୟ କ୍ଷତିପୂରଣ ବାବଦରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ। ଅନ୍ୟପଟେ ଜଳାଶୟରେ ମାଛ ଧରୁଥିବା ଲାଇସେନ୍ସପ୍ରାପ୍ତ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସରକାର ସର୍ବନିମ୍ନ ବିକ୍ରି ମୂଲ୍ୟର ବ୍ୟବସ୍ଥା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମତ୍ସ୍ୟପାଳନ ସହାୟତା ଯୋଜନା ଅଧୀନରେ ଜଳାଶୟରେ ମାଛ ଧରିବା ପାଇଁ ଲାଇସେନ୍ସ ପାଇଥିବା ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ମିଳିବ। ଯଦି ଅଧିକୃତ ନିଲାମ ସମୟରେ ମାଛର ବଜାର ମୂଲ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କାରୁ କମ୍ ହୋଇଯାଏ, ତେବେ ସରକାର ମୂଲ୍ୟର ଅନ୍ତରକୁ ଭରଣା କରିବା ପାଇଁ ସବସିଡି ଦେବେ।
ଏହି ଯୋଜନାରେ କିଲୋଗ୍ରାମ ପିଛା ସର୍ବାଧିକ ୨୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରିବ। ଉଦାହରଣ ସ୍ୱରୂପ, ଯଦି ମାଛର ନିଲାମ ମୂଲ୍ୟ କିଲୋ ପିଛା ୮୦ ଟଙ୍କା ରହେ, ତେବେ ସରକାର ଅତିରିକ୍ତ ୨୦ ଟଙ୍କା ଦେଇ ୧୦୦ ଟଙ୍କାର ସର୍ବନିମ୍ନ ମୂଲ୍ୟ ସୁନିଶ୍ଚିତ କରିବେ। ଏହି ସହାୟତା ରାଶି ସିଧାସଳଖ ମତ୍ସ୍ୟଜୀବୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ପଠାଯିବ। ଏହାଦ୍ୱାରା ପ୍ରାୟ ୬ ହଜାରରୁ ୬ ହଜାର ୩୦୦ ଜଣ ସକ୍ରିୟ ଓ ଲାଇସେନ୍ସପ୍ରାପ୍ତ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ଆଶା ରହିଛି।
ମତ୍ସ୍ୟଜୀବୀଙ୍କ ଜୀବିକାକୁ ଧ୍ୟାନରେ ରଖି ମାଛ ଧରିବା ନିଷିଦ୍ଧ ଥିବା ସମୟ ପାଇଁ ମଧ୍ୟ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ ସମ୍ମାନ ପାଣ୍ଠି ଯୋଜନା ଅନୁଯାୟୀ, ଏହି ନିଷେଧ ଅବଧିରେ ମତ୍ସ୍ୟଜୀବୀଙ୍କୁ ବାର୍ଷିକ ୩,୫୦୦ ଟଙ୍କା ମିଳିବ।
ମାଛର ପ୍ରଜନନ ଓ ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ସମୟରେ ମାଛ ଧରିବା ଉପରେ କଟକଣା ଲଗାଯାଏ। ଏହି ସମୟରେ ମତ୍ସ୍ୟଜୀବୀଙ୍କ ରୋଜଗାର ପ୍ରାୟତଃ ବନ୍ଦ ହୋଇଯାଏ। ତେଣୁ ଏହି ୩,୫୦୦ ଟଙ୍କାର ସହାୟତା ସେମାନଙ୍କ ଦୈନନ୍ଦିନ ଖର୍ଚ୍ଚ ପୂରଣରେ ସହାୟକ ହେବ।
ପାହାଡ଼ିଆ ଅଞ୍ଚଳରେ ଟ୍ରାଉଟ୍ ମାଛ ଚାଷ କରୁଥିବା ଚାଷୀଙ୍କ ପାଇଁ ମଧ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ବନ୍ୟା, ମେଘଫଟା ବର୍ଷା, ଭୂସ୍ଖଳନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମାଛ ଚାଷ ପ୍ରକଳ୍ପ କ୍ଷତିଗ୍ରସ୍ତ ହେଲେ ପଞ୍ଜିକୃତ ଟ୍ରାଉଟ୍ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।
ଏଥିପାଇଁ ସରକାର ୧ କୋଟି ଟଙ୍କାର ଏକ ବିପର୍ଯ୍ୟୟ ପାଣ୍ଠି ଗଠନ କରିଛନ୍ତି। ତେବେ ଏହି ଯୋଜନାର ସୁବିଧା ପାଇବାକୁ ଟ୍ରାଉଟ୍ ଚାଷୀଙ୍କୁ ବର୍ଷକୁ ୫୦୦ ଟଙ୍କା ଅଂଶଦାନ ଦେବାକୁ ପଡ଼ିବ। ଅର୍ଥାତ୍ ଚାଷୀଙ୍କ ନିଜସ୍ୱ ଯୋଗଦାନ ଆଧାରରେ ଏହି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟ କରିବ।
ହିମାଚଳ ପ୍ରଦେଶ ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କ ଆୟକୁ ସୁରକ୍ଷିତ ରଖିବା। ବଜାରରେ ମାଛର ଦର ହ୍ରାସ ପାଇଲେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟରେ ଚାଷ ନଷ୍ଟ ହେଲେ ସେମାନଙ୍କୁ ଆର୍ଥିକ ସହାୟତା ମିଳିପାରିବ। ଏହାଦ୍ୱାରା କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡ଼ୁଥିବା ଆର୍ଥିକ ଚାପ କିଛି ମାତ୍ରାରେ କମିବ।
ମୋଟାମୋଟି ଭାବେ ମାଛ ଚାଷକୁ ଲାଭଜନକ କରିବା ସହ ବିପଦ ସମୟରେ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେବା ଦିଗରେ ଏହି ଯୋଜନା ଏକ ବଡ଼ ପଦକ୍ଷେପ। ଏବେ ଦେଖିବାର କଥା, ଏହି ଆର୍ଥିକ ସହାୟତା କେତେ ଦୂର ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣୁଛି।


