ପାଟଣାଗଡ଼: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ସାନ ଭାଇ ସହ ଗୋଟିଏ ଘରେ ବଢ଼ିଥିଲେ, ସେହି ଭାଇ ହିଁ ବଡ଼ ଭାଇଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାଲିପଟା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ସାନ ଭାଇ ଖଟର କାଠରେ ବଡ଼ ଭାଇଙ୍କୁ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଘଟଣା ପଛରେ କେଉଁ କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ।
ଅଭିଯୁକ୍ତ ସାନ ଭାଇ ଏକ ଚୋରି ମାମଲାରେ ଜେଲ୍ ଯାଇଥିଲେ ଏବଂ ନିକଟରେ ଜେଲ୍ରୁ ଫେରିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ତଦନ୍ତ ପରେ ହତ୍ୟା ପଛର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।


