ବଲାଙ୍ଗୀର : ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଯେତେବେଳେ ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହିପାରିବେ, ସେତେବେଳେ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇଦେବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ପକ୍କା ଘର କେବଳ ଇଟା, ବାଲି ଓ ସିମେଣ୍ଟରେ ତିଆରି ଏକ ଢାଞ୍ଚା ନୁହେଁ; ବରଂ କଚ୍ଚା ଘରେ ରହୁଥିବା ପରିବାର ପାଇଁ ଏହା ସମ୍ମାନର ସହ ସୁରକ୍ଷିତ ଆଶ୍ରୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। ବିଶେଷକରି ଦୁର୍ଗମ, ପାହାଡ଼ିଆ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।
୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ ଅଧୀନରେ ରାଜ୍ୟକୁ ମଞ୍ଜୁର ହୋଇଥିବା ମୋଟ ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ ଘର ସହିତ ଶୌଚାଳୟ, ପାଇପ୍ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଓଡ଼ିଶା ମାଟିକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ଗତ ୧୨ ବର୍ଷରେ ଦେଶର ପ୍ରାୟ ୫୦ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ବାହାରି ପାରିଛନ୍ତି ବୋଲି ବିଶ୍ୱବ୍ୟାଙ୍କ ତଥ୍ୟ ପ୍ରଦାନ କରିଛି।
୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ନୂତନ ଆବାସ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୫ ଜାନୁଆରୀରୁ ମେ’ ମଧ୍ୟରେ ହୋଇଥିବା ‘ଆବାସ ପ୍ଲସ୍ ୨୦୨୪’ ସର୍ଭେ ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବରୁ କେନ୍ଦ୍ର ସରକାର ୪ ଲକ୍ଷ ଘର ମଞ୍ଜୁର କରିଥିବା ବେଳେ ବର୍ତ୍ତମାନ ଆଉ ଏକ ଲକ୍ଷ ଘର ମଞ୍ଜୁର କରିଥିବାରୁ ରାଜ୍ୟର ମୋଟ ୫ ଲକ୍ଷ ଘର ମଞ୍ଜୁର ହୋଇଛି। ଏଥିସହ ମୁଖ୍ୟମନ୍ତ୍ରୀ ଆଉ ଏକ ଲକ୍ଷ ଅତିରିକ୍ତ ଘର ପାଇଁ ଅନୁରୋଧ କରିଥିଲେ। ଅନ୍ୟାନ୍ୟ ଆବାସ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧୀନରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ପରିବାରଙ୍କ ପାଇଁ ମଞ୍ଜୁର ହୋଇଥିବା ୪୧ ହଜାର ୭୫ଟି ଘର ମଧ୍ୟରୁ ୩୫ ହଜାର ୬୩୫ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ୨୦୨୫ ମାର୍ଚ୍ଚ ୩୦ ତାରିଖରେ ଆରମ୍ଭ ହୋଇଥିବା ରାଜ୍ୟର ନିଜସ୍ୱ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ଦିବ୍ୟାଙ୍ଗ, ଅସହାୟ ଓ ବିଧବା ମହିଳାଙ୍କ ପରିବାରକୁ ସାମିଲ କରାଯାଇଛି। ଏଥିରେ ମଞ୍ଜୁର ୨ ଲକ୍ଷ ୨୫ ହଜାର ଘର ମଧ୍ୟରୁ ୧ ଲକ୍ଷ ୪୭ ହଜାର ଘର ନିର୍ମାଣ ଶେଷ ହୋଇଛି। ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏହି ଯୋଜନାର ଅବଧିକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇ ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା ୨ ଲକ୍ଷ ୯୧ ହଜାର ୬୬୬ ନୂଆ ଘର ନିର୍ମାଣ କରାଯାଇପାରିବ। ଏହା ବ୍ୟତୀତ ୫ ମାସ ମଧ୍ୟରେ ଘର ଶେଷ କଲେ ୩୫ ହଜାର ଟଙ୍କା ଓ ୭ ମାସ ମଧ୍ୟରେ ଶେଷ କଲେ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି, ଯାହାଦ୍ୱାରା ଏପର୍ଯ୍ୟନ୍ତ ୧୧ ଲକ୍ଷ ୩୫ ହଜାର ହିତାଧିକାରୀ ଉପକୃତ ହୋଇଛନ୍ତି।
ଏହି ଅବସରରେ କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ, ସେ ଅତିଥି ନୁହଁନ୍ତି ବରଂ ଜଣେ ସେବକ ଭାବେ ଓଡ଼ିଶା ଆସିଛନ୍ତି। ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନକୌଶଳକୁ ଆପଣାଇବାକୁ ପଡ଼ିବ ଏବଂ ଆଗାମୀ ଦିନରେ ବଲାଙ୍ଗୀରର ନୂତନ କୃଷି ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ମିଶି ବିନା କୌଣସି ତ୍ରୁଟିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପହଞ୍ଚାଯିବ ବୋଲି ସେ କହିଥିଲେ। ଓଡ଼ିଶାର ପ୍ରତି ଗାଁକୁ ପକ୍କା ସଡ଼କ ଦ୍ୱାରା ଯୋଡ଼ାଯିବା ସହ ରାଜ୍ୟରେ ୨୯ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପୂର୍ବରୁ ୪ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ଅଧିକ ୧ ଲକ୍ଷ ଘର ମଞ୍ଜୁର କରାଯାଉଛି ଏବଂ ଭବିଷ୍ୟତରେ ଆହୁରି ଘର ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ପାଇଲଟ୍ ପ୍ରକଳ୍ପ ଓଡ଼ିଶାରେ ବଲାଙ୍ଗୀର ମାଟିରୁ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ପର୍ଯ୍ୟଟନ ଏବଂ ଉନ୍ନତ ବିଦ୍ୟୁତ୍ ଉତ୍ପାଦନ ପାଇଁ କୃଷି କ୍ଷେତ୍ରରେ ସୌର ପ୍ୟାନେଲ୍ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ‘ପିଏମ୍ ସୂର୍ଯ୍ୟଘର ଯୋଜନା’କୁ ଯୋଡ଼ାଯାଇ ଘରର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସୁନିଶ୍ଚିତ କରାଯିବ ବୋଲି ସେ କହିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ, ଘର ଏକ ପରିବାର ପାଇଁ ସୁରକ୍ଷା କବଚ ଓ ପରିଚୟ ଅଟେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ନିର୍ମାଣ ଶେଷ କରୁଥିବା ହିତାଧିକାରୀମାନଙ୍କୁ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ପ୍ରତ୍ୟେକ ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ଖେଳପଡ଼ିଆ ଏବଂ ପୋଖରୀ ନିର୍ମାଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଘର ଜଣେ ମହିଳାଙ୍କ ପାଇଁ ସମ୍ମାନର ପ୍ରତୀକ। ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟରେ ଅଧିକ ସଂଖ୍ୟକ ସ୍ନାତକୋତ୍ତର ଆସନ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବଲାଙ୍ଗୀର ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।
ମା’ ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାୟ ୯୧୧ କୋଟି ଟଙ୍କାର ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୭୩୫ କୋଟି ଟଙ୍କା ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ଛାତ୍ରାବାସ ଆଦି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀରର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।


