Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବଲାଙ୍ଗୀର ଏୟାରଷ୍ଟ୍ରିପର ଆଧୁନିକରଣକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ୬୫ କୋଟି ଟଙ୍କା ମଂଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ତୁସୁରା ଏୟାରଷ୍ଟ୍ରିପର ଆଧୁନିକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଅଗଷ୍ଟ ୫ ଏବଂ ୬ ରେ ବଲାଙ୍ଗୀର ଗସ୍ତ କରିଥିଲେ ଏବଂ ତୁସୁରା ଏୟାରଷ୍ଟ୍ରିପ୍ର ଉନ୍ନତି ସମେତ ଲୋକଙ୍କଠାରୁ ଅନେକ ପ୍ରସ୍ତାବ ଗ୍ରହଣ କରିଥିଲେ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ସେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରିପୋର୍ଟ ପାଇବା ପରେ ତାହାକୁ ଅନୁମୋଦନ କରିଛନ୍ତି।

Categories
ବିଶେଷ ଖବର

ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ବାଲେଶ୍ୱର ଜିଲ୍ଲାର  ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି  ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ସିମୁଳିଆ, ବସ୍ତା, ସୋର ଓ ନୀଳଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୧୨ଟି ବ୍ଲକ୍‌‌ର ୩୫୬ଟି  ଗ୍ରାମ ପଞ୍ଚାୟତରେ ୪୪୬୫ଟି ପ୍ରକଳ୍ପ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୮.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଲାଙ୍ଗୀର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି ଓ ଲୋଇସିଙ୍ଗା।  ଏଥିରେ ୧୪ଟି ବ୍ଲକ୍‌ର ୩୧୭ଟି   ଗ୍ରାମପଞ୍ଚାୟତରେ ୩୯୧୧ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଜିଲ୍ଲାର ୮ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ,  ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ  MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ।  ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି  ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip,  ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ,  ବିଧାୟକ ଅନନ୍ତ ଦାସ, ବିଧାୟକ ନିତ୍ୟାନନ୍ଦ ସାହୁ, ବିଧାୟକ ସ୍ୱରୂପ ଦାସ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ସରୋଜ ମେହେରଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି । ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି। ତେଲ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜ୍ ମଧ୍ୟ ଶ୍ରୀ ଶର୍ମାଙ୍କ ଦ୍ୱାରା ଯାଞ୍ଚ କରାଯାଇଛି।

ଯାଞ୍ଚ ସମୟରେ ଶ୍ରୀ ଶର୍ମା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୁଣାପାଣି ଏବଂ ସୋନପୁରରେ ନୂତନ ଷ୍ଟେସନ୍ ବିଲଡିଂ ଯାଞ୍ଚ କରି ଶ୍ରୀ ଶର୍ମା ଯାତ୍ରୀମାନଙ୍କ ଆରାମ ପାଇଁ ବହୁ ଆବଶ୍ୟକ କରୁଥିବା ପରୀକ୍ଷେତ୍ର ଅଞ୍ଚଳ, କନକୋର୍ସ, ପ୍ଲାଟଫର୍ମ ଆଲୋକ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗରେ ଉନ୍ନତି ଆଣିବା ପାଇଁ ମହାପ୍ରବନ୍ଧକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ଶର୍ମା ମହାନଦୀର ଏକ ଉପନଦୀ ତେଲ ନଦୀ ଉପରେ ନିର୍ମାଣାଧୀନ ଅତି ଗୁରୁତ୍ୱପୂର୍ଣ୍ଣ ପୋଲକୁ ମଧ୍ୟ ନିରୀକ୍ଷଣ କରିଥିଲେ। ତେଲ ନଦୀର ପ୍ରାକୃତିକ ଜଳ ପ୍ରବାହ ବ୍ୟତୀତ ମହାନଦୀର ପଛୁଆ ଜଳ ତେଲ ନଦୀରେ ପ୍ରବେଶ କରୁଥିବାରୁ ଏହି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ରେଳବାଇ ପାଇଁ ଏକ ଆହ୍ୱାନ ଅଟେ।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି।  ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ପ୍ରାଥମିକ ଦିଆଯାଉଥିବା ଏକ ସାର୍ବଜନୀନ କୈନ୍ଦ୍ରିକ ପ୍ରକଳ୍ପ, ଯାହାକୁ ସର୍ବୋଚ୍ଚ କର୍ତ୍ତୃପକ୍ଷ ନିୟମିତ ଭାବରେ ତଦାରଖ କରୁଛନ୍ତି। ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗକୁ ବୃଦ୍ଧି କରିବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ 142.5 କିଲୋମିଟର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ପ୍ରାୟ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ 36.6 କିଲୋମିଟର ଦୂରତା ଅନ୍ତର୍ଭୁକ୍ତ। 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ୱରପାଲି ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 84 କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି।

ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ପି ଶ୍ରୀନିବାସ, ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଭିନୀତ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆୟୁବ ଖାଁ ମଲଟି ସ୍ପେସାଲିଟ୍ ହସ୍‌ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲଟି ସ୍ପେସାଲିଟ ହସ୍ପିଟାଲ୍ ଉଦଘାଟନ କରିଛନ୍ତି।

ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ଜନନେତା ତଥା ସମାଜସେବୀ ଆୟୁବ ଖାଁ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାରର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏଥି ଆଦର୍ଶରେ ଆମେ କାମ କରୁଛୁ ଏବଂ ସମାଜର ସବୁଠାରୁ ଗରିବ ଲୋକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କାମ କରୁଛୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବ କ୍ଷେତ୍ରରେ ରୂପାନ୍ତର ଆସିଛି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିରାମୟ ଆଦି ଯୋଜନାର କାର୍ଯ୍ୟକାରିତା ଯୋଗୁ ଗରୀବ ଲୋକମାନେ ବିନା ମୂଲ୍ୟରେ ଉତ୍ତମ ଚିକତ୍ସା ଓ ଔଷଧ ପାଇ ପାରୁଛନ୍ତି।

ବଲାଙ୍ଗୀରରେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ସହିତ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ ହୋଇଛି ବୋଲି ସେ କହିଥିଲେ।

ପ୍ରତି ବର୍ଷ ଏବେ ରାଜ୍ୟରୁ ୨୦୦୦ରୁ ଆଧିକ ଡକ୍ଟର ବାହାରୁଛନ୍ତି ବୋଲି ପ୍ରକାଶ କରିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ଟର ପଦବୀ ପୂରଣ କରାଯିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ନିରଞ୍ଜନ ବିଶି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଲାଙ୍ଗୀରରେ ‘ପିଆର୍ ହାଇସ୍କୁଲ ଇନଡୋର ଷ୍ଟାଡିୟମ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ସହରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ‘ପୃଥ୍ୱୀରାଜ ହାଇସ୍କୁଲ ଇନଡୋର୍ ଷ୍ଟାଡିୟମ’ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଗେଲ୍ ଇଣ୍ଡିଆର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅଧୀନରେ ୯ କୋଟି ୯୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମର ଉଦଘାଟନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶକୁ ବର୍ଦ୍ଧିତ କରେ। ଏହି ଷ୍ଟାଡିୟମ କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗୀରର ସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହେବ। ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି। ଆଜି ବଲାଙ୍ଗୀରରେ ଏଭଳି ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସହ ଷ୍ଟାଡିୟମ ନିର୍ମାଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ। ଏହି ଷ୍ଟାଡିୟମ ପଶ୍ଚିମ ଓଡ଼ିଶା ଓ ବଲାଙ୍ଗୀରରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ସ୍ତରର ଖେଳ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହ ବଲାଙ୍ଗୀରର ସବୁ ସ୍କୁଲକୁ ନେଇ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ଆଥଲେଟିକ୍ ଆସୋସିଏସନକୁ ଦାୟିତ୍ୱ ନେବା ପାଇଁ କହିଛନ୍ତି।

ପିଆର୍ ହାଇସ୍କୁଲରେ ନବନିର୍ମିତ ଇନଡୋର ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ଜାତୀୟ ସ୍ତରର ୪ଟି ବ୍ୟାଡମିଣ୍ଟନ କୋଟ ରହିଛି। ପଶ୍ଚିମ ଓଡ଼ିଶା ଏବଂ ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ଆଗକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଯୁବପିଢ଼ିଙ୍କ କ୍ରୀଡ଼ା ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇଦେବ।  ଜରୁରୀ। ଯହାଦ୍ୱାରା ସେମାନଙ୍କ ପ୍ରତିଭା ଓ ମନୋବଳ ସୁଦୃଢ କରାଯାଇପାରିବ। ଏହି ଷ୍ଟାଡିୟମ ଦେଶର ଦୁର୍ଗମ ଅଞ୍ଚଳରs କୋଣ ଅନୁକୋଣରେ ରହୁଥିବା ଗାଁରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାରେ ସଫଳ ହେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଧାନ ସମେତ କୃଷି ଉତ୍ପାଦିତ ସାମଗ୍ରୀର ଏମଏସପି ମୂଲ୍ୟକୁ ବୃଦ୍ଧି କରିବା ହେଉ କିମ୍ବା ଚାଷ କ୍ଷେତ୍ରକୁ ମଜବୁତ କରିବା ହେଉ, ପ୍ରଧାନମନ୍ତ୍ରୀ ସର୍ବଦା ଏହି ଅଞ୍ଚଳର ଚାଷୀଙ୍କୁ ସହଯୋଗ କରି ଆସିଛନ୍ତି। ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ନିର୍ମାଣାଧୀନ ବରଗଡ଼ ସ୍ଥିତ ଜୈବ ଇଥାନଲ ପ୍ଲାଣ୍ଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବରଗଡ ସମେତ ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରର ଆଖପାଖ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବଲାଙ୍ଗୀର ଓ ନାଲ୍‌କୋରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୨ଟି ସହରରେ ପହଂଚିଲା ଜିଓ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ସହର ଓ ଅନୁଗୁଳ ଜିଲ୍ଲାର ନାଲ୍‌କୋ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏହା ସହିତ ଓଡ଼ିଶାର ୧୨ଟି ସହରରେ ଜିଓ ଗ୍ରାହକମାନେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି। ପୂର୍ବରୁ ଜିଓ ଟ୍ରୁ-୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ ଓ ସମ୍ବଲପୁର ଭଳି ୧୦ଟି ସହରରେ ଶୁଭାରମ୍ଭ ହୋଇଥିଲା।

ଜାତୀୟ ସ୍ତରରେ ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ଫଳରେ ଜିଓ ଗ୍ରାହକମାନେ ୨୨୫ଟି ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି।
ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି। ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଅତିରିକ୍ତ ୩୪ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଦେଶର ମୋଟ ୨୨୫ଟି ସହରରେ ଏବେ ଏହି ସେବା ପହଂଚିପାରିଛି। ବିଟା ପରୀକ୍ଷଣର ଶୁଭାରମ୍ଭ ପରେ ୧୨୦ ଦିନରୁ କମ୍ ସମୟ ଭିତରେ ଜିଓ ଏହି ମାଇଲଖୁଂଟ ହାସଲ କରିଛି ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ବୈପ୍ଳବିକ ଜିଓ ଟ୍ରୁ-୫ଜି ସେବା ସହ ସାରା ଦେଶକୁ ଯୋଡ଼ିବା ପଥରେ ଏହା ଅଗ୍ରସର ରହିଛି।

ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଅଂଚଳରେ ଏତେ ବ୍ୟାପକ ଭାବେ ଏକ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇଛି ଏବଂ ୨୦୨୩ ଭାରତ ପାଇଁ ଏକ ମାଇଲଖୁଂଟ ବର୍ଷ ସାବ୍ୟସ୍ତ ହେବାକୁ ଯାଉଛି ଯେତେବେଳେ ଜିଓର ଉତ୍କୃଷ୍ଟ ନେଟ୍‌ୱର୍କ ଭିତିଭୂମି ଜରିଆରେ ସମଗ୍ର ଦେଶ ବୈପ୍ଳବିକ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ହାସଲ କରିବ।

ଆମ ଦେଶକୁ ଡିଜିଟାଇଜ୍ କରିବା ଲାଗି ଆମ ଉଦ୍ୟମରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିକଟରେ ଆମେ କୃତଜ୍ଞ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଫାଇଦା ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ଆଡ୍‌ମିଶନ ପାଇଁ ୯୬ ହଜାର ୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ ଏବଂ ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା JEE Mainରେ ୯୯.୩୫ ପ୍ରତିଶତ ମାର୍କ ରଖି NIT Warangal ରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି।

କିନ୍ତୁ ଏଥିରେ ଅର୍ଥ ହୋଇଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । ତାଙ୍କର ଆଡ୍‌ମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା। କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ । ଏହାଦ୍ବାରା ତାଙ୍କର ଆଡମିଶନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ। ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜେନ୍ଦ୍ର କଲେଜ ପାଇଁ ୫୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ବଲାଙ୍ଗୀର, ୩୧/୧୨: ବଲାଙ୍ଗୀର ରାଜେନ୍ଦ୍ର  ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ  ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ଅତିଥି ଭାବେ ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, କ୍ରୀଡା ବିସ୍ମୟ ପ୍ରଣୀତ ମିଶ୍ର, କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଏହି ଶିକ୍ଷଣୀୟ ସଂସ୍ଥାର ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ଏହି ବିଶ୍ବବିଦ୍ୟାଳୟରେ ଶୈକ୍ଷଣିକ ଓ ପ୍ରଶାସନିକ ସ୍ତରରେ ବିକାଶ କରାଯିବା ନେଇ ସୂଚନା ଦେବା ସହିତ ଏହି ସଂସ୍ଥା ପରିସରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ଓ ପ୍ଲାନେଟୋରିୟମ୍‌ର ସ୍ଥାପନ ହେବା ନେଇ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଏହା ଛାତ୍ରଙ୍କୁ ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା କ୍ଷେତ୍ରରେ ଅଭିପେତ୍ର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ। ଗୋଟେ ରାଷ୍ଟ୍ରର ଉନ୍ନତି ତା’ର ଜ୍ଞାନ ଓ ଶିକ୍ଷା ଦ୍ବାରା ହୋଇପାରିଥାଏ। ଓଡ଼ିଶାର ଯୁବଶକ୍ତିଙ୍କ ପାଖରେ ସବୁ ପ୍ରକାରର ସମ୍ଭାବନା ରହିଛି। ଯୁବବର୍ଗଙ୍କ ପାଖରେ ପ୍ରତିଭା, ଜ୍ଞାନ ଓ ସମର୍ପଣ ରହିଛି। ଏହି ଯୁବବର୍ଗ ଯେଉଁଠିକୁ ଗଲେ ବି ସବୁଠାରେ ନିଜର ଉତ୍କୃଷ୍ଟତାର ପ୍ରମାଣ ଦେବେ। ଓଡ଼ିଶାକୁ ଉଚ୍ଚ ବିକାଶ ଆଗକୁ ଆଗେଇନେବାରେ ଏହି ଯୁବଶକ୍ତିମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।