Categories
ବିଶେଷ ଖବର ରାଜ୍ୟ ଖବର

ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ଆଡ୍‌ମିଶନ ପାଇଁ ୯୬ ହଜାର ୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ ଏବଂ ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା JEE Mainରେ ୯୯.୩୫ ପ୍ରତିଶତ ମାର୍କ ରଖି NIT Warangal ରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି।

କିନ୍ତୁ ଏଥିରେ ଅର୍ଥ ହୋଇଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । ତାଙ୍କର ଆଡ୍‌ମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା। କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ । ଏହାଦ୍ବାରା ତାଙ୍କର ଆଡମିଶନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ। ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Categories
ବିଶେଷ ଖବର ବ୍ୟବସାୟ

ଏଥର ଘରେ ବସି ମଗାନ୍ତୁ କୋରାପୁଟ କଫି, ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କୋରାପୁଟ ଜିଲ୍ଲାର କଫି ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଆଜି ଅନ୍ତର୍ଜାତୀୟ କଫି ଦିବସରେ ଇ-ବାଣିଜ୍ୟ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହି ୱେବସାଇଟ୍ ହେଉଛି www.koraputcoffee.org

ୱେବସାଇଟ୍ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋରାପୁଟ କଫିରେ ଉଚ୍ଚ ଗୁଣ ରହିଛି ଏବଂ ଏହା ଦେଶ ତଥା ବାହାରେ ଏକ ପ୍ରସିଦ୍ଧ ବ୍ରାଣ୍ଡ ଭାବରେ ବିକଶିତ ହୋଇପାରିବ। ଏ କ୍ଷେତ୍ରରେ ପଦକ୍ଷେପ ନେଇଥିବାରୁ ସେ କଫି ଉତ୍ପାଦକ ଏବଂ ଆଦିବାସୀ ବିକାଶ ନିଗମକୁ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ କୋରାପୁଟ କଫି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛି। ଆଦିବାସୀଙ୍କ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାର କୋରାପୁଟ କଫିର ପ୍ରୋତ୍ସାହନ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। TDCCOL ଦ୍ୱାରା କୋରାପୁଟ କଫି ମାର୍କେଟିଂ ବ୍ୟତୀତ, ଚଳିତ ବର୍ଷ କୋରାପୁଟରେ କଫି ଡେଭଲପମେଣ୍ଟ ଟ୍ରଷ୍ଟ 300 ହେକ୍ଟର ପରିମିତ ଜମିରେ କଫି ଚାଷ କରିଛି।

ମୁଖ୍ୟମନ୍ତ୍ରୀ ଦୁଇଟି କଫି ଆଉଟଲେଟ୍ ଘୋଷଣା ମଧ୍ୟ କରିଛନ୍ତି, ଯାହାର ନାମ ରହିଛି କୋରାପୁଟ କାଫେ। ଗୋଟିଏ କୋରାପୁଟ ଜିଲ୍ଲାରେ ଏବଂ ଅନ୍ୟଟି ପୁରୀର ନିଳାଦ୍ରୀ ସମୁଦ୍ର କୂଳରେ ପ୍ରତିଷ୍ଠା କରାଯାଇଛି।

କଫି ଚାଷ ଓଡିଶାର କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜୀବନକୁ ପରିବର୍ତ୍ତନ କରୁଛି। କୋରାପୁଟ, ଯାହା ସମୁଦ୍ର ପତ୍ତନଠାରୁ 3000 ଫୁଟ ଉଚ୍ଚରେ ଅବସ୍ଥିତ, ଏହାର ଶୀତଳ ଜଳବାୟୁ ଏବଂ ବର୍ଷା ହେତୁ କଫି ଚାଷ ପାଇଁ ଉପଯୁକ୍ତ ଅଟେ| ଏହି  କଫି ହେଉଛି ଏକ ଶତପ୍ରତିଶତ ଆରବିକା କଫି ଯାହା ନିକଟ ଭବିଷ୍ୟତରେ ସ୍ୱତନ୍ତ୍ର କଫି ବଜାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।

ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ପ୍ରମୁଖ ଶାସନ ସଚିବ ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତି ବିକାଶ ବିଭାଗ ଶ୍ରୀମତୀ ରଂଜନ ଚୋପ୍ରା, ପରିଚାଳନା ନିର୍ଦ୍ଦେଶକ ଆଦିବାସୀ ବିକାଶ ମାନସୀ ନିମ୍ବାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରର ଅଧିକାରୀ ଏବଂ କଫି ଉତ୍ପାଦକମାନଙ୍କ ସହିତ କଲେକ୍ଟର କୋରାପୁଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।