ନୂଆଦିଲ୍ଲୀ : ରୁଷିଆର କେମେରୋଭୋ ଅଞ୍ଚଳରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଛି। ଉଡ଼ାଣ ସମୟରେ An-12 ବିମାନରେ ନିଆଁ ଲାଗିବା ପରେ ଏହା ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରୁଷୀୟ ଗଣମାଧ୍ୟମ ‘ରେନ୍ ଟିଭି’ ରିପୋର୍ଟ କରିଛି। ତେବେ ମୃତ୍ୟୁସଂଖ୍ୟାକୁ ଅଧିକାରୀଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନଥିଲା। ରିପୋର୍ଟ ଅନୁସାରେ, ବିମାନଟି ନୋଭୋସିବିର୍ସ୍କରୁ କ୍ରାସନୋୟାର୍ସ୍କ କ୍ରାଇର କାନ୍ସକ୍ ଅଭିମୁଖେ ଯାଉଥିଲା। ଏହି ସମୟରେ ୟାଗୁନୋଭୋ ଗାଁ ନିକଟରେ ବିମାନରେ ନିଆଁ ଲାଗି ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବିମାନରେ ନିଆଁ ଲାଗିବା ପରେ ମଧ୍ୟ କ୍ରୁ ସଦସ୍ୟମାନେ ଏହାକୁ ଆବାସିକ ଅଞ୍ଚଳଠାରୁ ଦୂରେଇ ନେବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିବା ଖବର ମିଳିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ, ପୋଲିସ ଓ ଜରୁରୀକାଳୀନ ସେବା କର୍ମଚାରୀ ନିୟୋଜିତ ହୋଇଥିଲେ। ତେବେ An-12 ବିମାନରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଇଞ୍ଜିନ୍ରେ ତ୍ରୁଟି ଏହାର ସମ୍ଭାବ୍ୟ କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।


