ସୁନ୍ଦରଗଡ଼: ଘରେ ଚାଲିଥିଲା ଝିଅ ବାହାଘରର ପ୍ରସ୍ତୁତି। ପରିବାରରେ ଥିଲା ଖୁସିର ମାହୋଲ। ଝିଅର ନୂଆ ସଂସାର ଗଢ଼ିବା ପାଇଁ ପୁଅ ଖୋଜିବାକୁ ଘରର ସମସ୍ତ ସଦସ୍ୟ ବାହାରକୁ ଯାଇଥିଲେ। ହେଲେ ପରିବାରର ଏହି ଖୁସିକୁ ନିମିଷକ ମଧ୍ୟରେ ଦୁଃଖରେ ପରିଣତ କରିଦେଲେ ଦୁର୍ବୃତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ପଶିଲେ। ଆଲମାରିରେ ଥିବା ସୁନାଗହଣା ସହ ନଗଦ ଟଙ୍କା ଲୁଟି ଚମ୍ପଟ ମାରିଲେ। ଲୁଟ୍ ସାମଗ୍ରୀର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ଚୋରି ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି।
ସୂଚନା ଅନୁସାରେ, ପରିବାରରେ ଝିଅ ବାହାଘରକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଏଥିପାଇଁ ଝିଅ ପାଇଁ ଉପଯୁକ୍ତ ବର ଖୋଜିବାକୁ ପରିବାରର ସମସ୍ତ ସଦସ୍ୟ ଘରୁ ବାହାରକୁ ଯାଇଥିଲେ। ଘରେ କେହି ନଥିବା କଥା ଜାଣିବା ପରେ ଦୁର୍ବୃତ୍ତମାନେ ଏହାକୁ ଚୋରି ପାଇଁ ସୁଯୋଗ ଭାବେ ନେଇଥିଲେ।
ଘରର ତାଲା ଭାଙ୍ଗି ଭିତରକୁ ପଶିବା ପରେ ଆଲମାରି ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ଘରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଧରି ଫେରାର ହୋଇଯାଇଥିଲେ।
କିଛି ସମୟ ପରେ ପରିବାର ଲୋକେ ଘରକୁ ଫେରିଥିଲେ। ହେଲେ ଘରର ତାଲା ଭଙ୍ଗା ଥିବା ଦେଖି ସେମାନେ ହତବାକ୍ ହୋଇଯାଇଥିଲେ। ଘର ଭିତରେ ଜିନିଷପତ୍ର ଏଣେତେଣେ ପଡ଼ିଥିବା ସହ ଆଲମାରିରୁ ସୁନାଗହଣା ଓ ନଗଦ ଟଙ୍କା ଗାଏବ ହୋଇଯାଇଥିବା ଜଣାପଡ଼ିଥିଲା।
ଝିଅ ବାହାଘର ପାଇଁ ସାଇତି ରଖିଥିବା ଗହଣା ଓ ଟଙ୍କା ଚୋରି ହୋଇଯିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଖୁସିରେ ଚାଲିଥିବା ବାହାଘର ପ୍ରସ୍ତୁତି ମଧ୍ୟରେ ଏହି ଘଟଣା ପରିବାରକୁ ଗଭୀର ଆଘାତ ଦେଇଛି।
ଘଟଣାକୁ ନେଇ ପରିବାର ପକ୍ଷରୁ କୋଇଡ଼ା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ପଛରେ କେଉଁମାନଙ୍କ ହାତ ରହିଛି ଏବଂ ଦୁର୍ବୃତ୍ତମାନେ କେଉଁ ଦିଗରେ ଫେରାର ହୋଇଛନ୍ତି, ସେନେଇ ଖୋଳତାଡ଼ ଚାଲିଛି।
ଅନ୍ୟପଟେ, ଝିଅ ବାହାଘର ପାଇଁ ସାଇତା ହୋଇଥିବା ଗହଣା ଓ ଟଙ୍କା ଲୁଟ୍ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚୋରଙ୍କୁ ଠାବ କରି ଲୁଟ୍ ସାମଗ୍ରୀ ଉଦ୍ଧାର କରିବା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି।


