ଭୁବନେଶ୍ଵର: ମତ୍ସ୍ୟ ଏବଂ ଆକ୍ବାକଲ୍ଚର କ୍ଷେତ୍ରରେ ଏକ ପ୍ରମୁଖ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀ, ୧୪ତମ ଇଣ୍ଡିଆନ୍ ଫିସେରିଜ୍ ଆଣ୍ଡ ଆକ୍ବାକଲ୍ଚର ଫୋରମ୍ (୧୪ଆଇଏଫଏଏଫ୍), ଆଜି ଓଡ଼ିଶାର ଭୁବନେଶ୍ୱରରେ ଆଇସିଏଆର-ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ରେସୱାଟର ଆକ୍ୱାକଲଚର (ଆଇସିଏଆର -ସିଫା)ରେ ଆରମ୍ଭ ହୋଇଛି। ୧୮ ରୁ ୨୦ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀ ଏସିଆନ୍ ଫିସେରିଜ୍ ସୋସାଇଟି, ଭାରତୀୟ ଶାଖା (ଏଏଫଏସଆଇବି), ଆଇସିଏଆର -ସିଫା, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ, ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ (ଏନଏଫଡିବି), ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ (ଏଫଏଆରଡି) ବିଭାଗ, ଓଡ଼ିଶା ସରକାର ଏବଂ ଜଳକୃଷି ବିଶେଷଜ୍ଞ ସଂଘ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେଉଛି।
ଏହି ସମ୍ମିଳନୀ “ଆକ୍ବାକଲ୍ଚର ଏବଂ ମତ୍ସ୍ୟପାଳନରେ ପରିବର୍ତ୍ତନ: ବିଜ୍ଞାନ ଏବଂ ସମାଜ ମଧ୍ୟରେ ସେତୁ” ବିଷୟବସ୍ତୁ ଉପରେ ଆୟୋଜିତ ହେଉଛି, ଯାହା ବୈଜ୍ଞାନିକ ଜ୍ଞାନକୁ ଆଗକୁ ବଢାଇବା, ପ୍ରଯୁକ୍ତିବିଦ୍ୟା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଗବେଷକ, ନୀତି ନିର୍ଦ୍ଧାରକ, ଶିଳ୍ପ ଅଂଶୀଦାର ଏବଂ ଚାଷୀ ସମ୍ପ୍ରଦାୟ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ।
ଏହି ସମ୍ମିଳନୀକୁ ନେଟୱାର୍କ ଅଫ୍ ଆକ୍ବାକଲଚର ସେଣ୍ଟର୍ସ ଇନ୍ ଏସିଆ ପାସିଫିକ୍ (ଏନଏସିଏ) ର ମହାନିର୍ଦ୍ଦେଶକ ଡକ୍ଟର ଏଡୁଆର୍ଡୋ ଲିଆନୋ ଉଦଘାଟନ କରିଥିଲେ। ତାଙ୍କ ଉଦଘାଟନୀ ଭାଷଣରେ, ସେ ମତ୍ସ୍ୟଚାଷ କ୍ଷେତ୍ରକୁ ପରିବର୍ତ୍ତନ କରିବା ପାଇଁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଆଇସିଏଆରର ଡେପୁଟି ଡାଇରେକ୍ଟର ଜେନେରାଲ୍ (ମତ୍ସ୍ୟ ବିଜ୍ଞାନ) ଡକ୍ଟର ଜେ. କେ. ଜେନା, ଆଧୁନିକ ଗବେଷଣାରେ ଅଧିକ ନିବେଶ ଏବଂ ଦୃଢ଼ ମୂଲ୍ୟ ଶୃଙ୍ଖଳାର ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏନଏଫଡିବିର ଚିଫ୍ ଏକଜିକ୍ୟୁଟିଭ୍ ଡକ୍ଟର ବି. କେ. ବେହେରା, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉନ୍ନତ କରିବା ପାଇଁ ମତ୍ସ୍ୟ ସମବାୟକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ହରିଆଣାର କୁଣ୍ଡଲିର ଏନଆଇଏଫଟିଇଏମ୍ ର ପୂର୍ବତନ ଭାଇସ-ଚାନ୍ସଲର ଡକ୍ଟର ସି. ଭାସୁଦେବପ୍ପା, ମାଛର ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ଗ୍ରହଣକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟ ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ଥିଲେ ଡକ୍ଟର ଏ. ଇ. ଏକନାଥ, ପୂର୍ବତନ ମହାନିର୍ଦ୍ଦେଶକ, ଏନଏସିଏ; ଡକ୍ଟର କେ. ଏମ୍. ରାଜେଶ, ସଚିବ, ଏଏଫଏସଆଇବି; ଡକ୍ଟର ଦିଲୀପ କୁମାର, ପୂର୍ବତନ ନିର୍ଦ୍ଦେଶକ, ଆଇସିଏଆର -ସିଆଇଏଫଇ, ମୁମ୍ବାଇ; ଏବଂ ଡକ୍ଟର ଆଇ. କରୁଣାସାଗର, ପରାମର୍ଶଦାତା, ଏଫଏଓ ରେଫରେନ୍ସ ସେଣ୍ଟର, ଏନଆଇଟିଟିଇ ବିଶ୍ୱବିଦ୍ୟାଳୟ, ମାଙ୍ଗାଲୁରୁ। ସେମାନେ ମତ୍ସ୍ୟଚାଷ ଏବଂ ଆକ୍ବାକଲ୍ଚର କ୍ଷେତ୍ରରେ ଉଦୀୟମାନ ପ୍ରାଥମିକତା, ଗବେଷଣା ପ୍ରଗତି ଏବଂ ଭବିଷ୍ୟତ ସୁଯୋଗ ଉପରେ ସେମାନଙ୍କର ଦୃଷ୍ଟିକୋଣ ପ୍ରଦାନ କରିଥିଲେ।
ପୂର୍ବରୁ, ଡକ୍ଟର ପି. କେ. ସାହୁ, ନିର୍ଦ୍ଦେଶକ, ଆଇସିଏଆର –ସିଫା ଏବଂ ସମ୍ମିଳନୀର ସଂଯୋଜକ, ସମ୍ମାନିତ ବ୍ୟକ୍ତି ଏବଂ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ସେ ବିଜ୍ଞାନ-ଶିଳ୍ପ-କୃଷକ ସଂଯୋଗକୁ ସୁଦୃଢ଼ କରିବା, ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ କୃଷି ସମ୍ପ୍ରଦାୟ ପାଇଁ ବ୍ୟବହାରିକ ସମାଧାନରେ ଗବେଷଣା ଫଳାଫଳକୁ ରୂପାନ୍ତରିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଫୋରମ୍ ଭାରତ ଏବଂ ଅନ୍ୟ ଛଅଟି ଦେଶରୁ ୧୦୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରିଛି, ଯେଉଁଥିରେ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ଉଦ୍ୟୋଗୀ, ଶିଳ୍ପ ପ୍ରତିନିଧି ଏବଂ କୃଷକମାନେ ଅନ୍ତର୍ଭୁକ୍ତ।
ତିନି ଦିନିଆ ସମ୍ମିଳନୀରେ ଆଲୋଚନାର ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ସ୍ଥାୟୀ ମତ୍ସ୍ୟ ପରିଚାଳନା, ଜଳୀୟ ଇକୋସିଷ୍ଟମ ସଂରକ୍ଷଣ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଜିନୋମ୍ ସମ୍ପାଦନା, ସଠିକ୍ ଜଳକୃଷି, ଉନ୍ନତ ପ୍ରଜନନ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ବିକାଶ, ଜଳଜୀବ ସ୍ୱାସ୍ଥ୍ୟ ଏବଂ ଜେନେଟିକ୍ ଉନ୍ନତି ଅନ୍ତର୍ଭୁକ୍ତ।
୨୦ଟି ଏଜେନ୍ସିକୁ ନେଇ ଏକ ସମକାଳୀନ ପ୍ରଦର୍ଶନୀରେ ମତ୍ସ୍ୟଚାଷ ଏବଂ ଜଳକୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରାଯାଉଛି। ଏହି ପ୍ରଦର୍ଶନୀ ଶିଳ୍ପ ଅଂଶୀଦାର, ଗବେଷକ ଏବଂ ଚାଷୀମାନଙ୍କୁ ପାରସ୍ପରିକ କ୍ରିୟା, ପ୍ରଯୁକ୍ତିବିଦ୍ୟା ସମାଧାନ ଅନୁସନ୍ଧାନ ଏବଂ ସହଯୋଗୀ ସହଭାଗୀତା ସ୍ଥାପନ କରିବାର ସୁଯୋଗ ପ୍ରଦାନ କରେ। ଉଦଘାଟନୀ ଉତ୍ସବରେ ବୈଜ୍ଞାନିକ ପ୍ରକାଶନ ଉନ୍ମୋଚନ ଏବଂ ଏହି କ୍ଷେତ୍ରରେ ପ୍ରଖ୍ୟାତ ମତ୍ସ୍ୟଚାଷୀ ବୈଜ୍ଞାନିକମାନଙ୍କୁ ଆସୋସିଏସନ ଅଫ୍ ଆକ୍ୱାକଲଚରିଷ୍ଟଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା।
ତିନି ଦିନିଆ ଫୋରମର ଲକ୍ଷ୍ୟ ହେଉଛି ବୈଜ୍ଞାନିକ ଆଦାନପ୍ରଦାନକୁ ସହଜ କରିବା, ଜାତୀୟ ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ମତ୍ସ୍ୟଚାଷ ଏବଂ ଆକ୍ବାକଲଚର କ୍ଷେତ୍ରର ସ୍ଥାୟୀ, ଅନ୍ତର୍ଭୁକ୍ତ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ଅଭିବୃଦ୍ଧି ପାଇଁ କାର୍ଯ୍ୟକ୍ଷମ ରଣନୀତି ଚିହ୍ନଟ କରିବା।


