ଭୁବନେଶ୍ୱର: ଦେଶରେ ଜଳାପୋଡ଼ା ଆଘାତର ଉନ୍ନତ ଚିକିତ୍ସା ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଅଧୀନସ୍ଥ ବର୍ଣ୍ଣ ସେଣ୍ଟର୍ ପକ୍ଷରୁ ଆୟୋଜିତ ଚାରିଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ‘ଟ୍ରମା ଏବଂ ଜଳାପୋଡ଼ା ଆଘାତ ନିବାରଣ ଓ ପରିଚାଳନା ଜାତୀୟ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଏହି ପ୍ରଶିକ୍ଷଣ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୧୯ ଜଣ ଡାକ୍ତର ଅଂଶଗ୍ରହଣ କରିଥିଲେ।
ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ୬ ଜଣ, ଆସାମରୁ ୫ ଜଣ, ଓଡ଼ିଶାରୁ ୩ ଜଣ, ରାଜସ୍ଥାନରୁ ୨ ଜଣ, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରୁ ୨ ଜଣ ଏବଂ ତାମିଲନାଡୁରୁ ଜଣେ ଡାକ୍ତର ସାମିଲ ହୋଇଥିଲେ। ବିଭିନ୍ନ ସରକାରୀ ଡାକ୍ତରଖାନାର ଚିକିତ୍ସା ଅଧିକାରୀ, ବିଶେଷଜ୍ଞ ଏବଂ ମେଡିକାଲ୍ କଲେଜର ଅଧ୍ୟାପକମାନେ ଏହି ପ୍ରଶିକ୍ଷଣ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉନ୍ନତ ଜଳାପୋଡ଼ା ଆଘାତ ପରିଚାଳନା ଓ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ରୋଗୀଙ୍କୁ ତରଳ ପଦାର୍ଥ ଯୋଗାଣ, ଶ୍ୱାସନଳୀ ପରିଚାଳନା, ଗୁରୁତର ରୋଗୀଙ୍କ ଚିକିତ୍ସା, କ୍ଷତ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଏବଂ ଅସ୍ତ୍ରୋପଚାର ସମ୍ବନ୍ଧୀୟ ବିଷୟ ସ୍ଥାନ ପାଇଥିଲା। ଏହାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଜଳାପୋଡ଼ା ଆଘାତର ଅସ୍ତ୍ରୋପଚାର ସମ୍ପର୍କିତ ସିଧାସଳଖ ପ୍ରଦର୍ଶନ। ଏହାଦ୍ୱାରା ଅଂଶଗ୍ରହଣକାରୀ ଡାକ୍ତରମାନେ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରକ୍ରିୟାର ବ୍ୟାବହାରିକ ଜ୍ଞାନ ଓ ଅଭିଜ୍ଞତା ହାସଲ କରିଥିଲେ।
ଚାରିଦିନିଆ ପ୍ରଶିକ୍ଷଣରେ ଶିଶୁ, ବୟସ୍କ ଓ ଗର୍ଭବତୀ ମହିଳାଙ୍କ ଜଳାପୋଡ଼ା ଆଘାତର ସ୍ୱତନ୍ତ୍ର ଚିକିତ୍ସା, ବିଦ୍ୟୁତ୍ ଓ ରାସାୟନିକ ପଦାର୍ଥଜନିତ ଆଘାତ, ପୁନର୍ବାସ ଏବଂ ସ୍କିନ୍ ବ୍ୟାଙ୍କିଂ ବା ଚର୍ମ ସଂରକ୍ଷଣ ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିସହ ଦୀପାବଳି ଓ ମହାଶିବରାତ୍ରି (ଜାଗର) ଭଳି ପର୍ବପର୍ବାଣି ସମୟରେ ଜଳାପୋଡ଼ା ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ସତର୍କତା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଅଂଶଗ୍ରହଣକାରୀମାନେ କ୍ଷତ ସଫା କରିବା ଓ ପଟି ବାନ୍ଧିବା, ଶ୍ୱାସନଳୀ ପରିଚାଳନା, ସିପିଆର୍ (CPR) ଏବଂ ସେଣ୍ଟ୍ରାଲ୍ ଲାଇନ୍ ସ୍ଥାପନ ଭଳି ପ୍ରକ୍ରିୟାରେ ପ୍ରାୟୋଗିକ ତାଲିମ ନେଇଥିଲେ। ଏହା ସହିତ ବର୍ଣ୍ଣ ଆଇସିୟୁରେ ଉପଲବ୍ଧ ଚିକିତ୍ସା ସୁବିଧା ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା।
କାର୍ଯ୍ୟକ୍ରମର ଉଦ୍ଘାଟନ କରି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ ଜଳାପୋଡ଼ା ଆଘାତ ପରେ ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏପରି ଦୁର୍ଘଟଣା ପରେ ପ୍ରଥମ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତରେ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଲୋକ ମଧ୍ୟମରୁ ଗୁରୁତର ଜଳାପୋଡ଼ା ଆଘାତର ଶିକାର ହେଉଛନ୍ତି। ଏମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକ ଅଧିକ ରହିଛନ୍ତି। ଦେଶବ୍ୟାପୀ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ଦ୍ୱାରା ଜଳାପୋଡ଼ା ଆଘାତପ୍ରାପ୍ତ ରୋଗୀଙ୍କୁ ଠିକ୍ ସମୟରେ ଉନ୍ନତ ଚିକିତ୍ସା ଯୋଗାଇବା ସହ ଅନେକ ଜୀବନ ବଞ୍ଚାଯାଇପାରିବ ବୋଲି ସେ ମତ ଦେଇଥିଲେ।
ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡ. ସଞ୍ଜୟ କୁମାର ଗିରି କହିଥିଲେ ଯେ, ଜଳାପୋଡ଼ା ଆଘାତ ପରେ ପ୍ରଥମ କିଛି ଘଣ୍ଟା ମଧ୍ୟରେ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ମିଳିଲେ ଏଥିଜନିତ ମୃତ୍ୟୁକୁ ଅନେକ କ୍ଷେତ୍ରରେ ରୋକାଯାଇପାରିବ। ପ୍ରଶିକ୍ଷଣପ୍ରାପ୍ତ ଡାକ୍ତରମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଏହି ଜୀବନ ରକ୍ଷାକାରୀ ଦକ୍ଷତାର ଉପଯୋଗ କରିପାରିବେ। ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଉନ୍ନତ ଜଳାପୋଡ଼ା ଚିକିତ୍ସା ସେବା ଅଧିକ ସହଜରେ ଉପଲବ୍ଧ ହୋଇପାରିବ।
ଉଲ୍ଲେଖଯୋଗ୍ୟ, ଏମ୍ସ ଭୁବନେଶ୍ୱର ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତି ମାସରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଡାକ୍ତର ଓ ନର୍ସମାନଙ୍କ ପାଇଁ ଭିନ୍ନ ଭିନ୍ନ ମାସରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ବ୍ୟବସ୍ଥା ରହିବ। ଦେଶବ୍ୟାପୀ ଜଳାପୋଡ଼ା ଆଘାତ ଚିକିତ୍ସା ସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପ୍ରତି ମାସରେ ୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା କରିଛି।
ଏହି ପ୍ରଶିକ୍ଷଣ ପଦକ୍ଷେପକୁ ବିଭିନ୍ନ ରାଜ୍ୟରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ପ୍ରଥମ ମାସରେ ହିଁ ପଞ୍ଜୀକରଣ ସମ୍ପୂର୍ଣ୍ଣ ହୋଇଯାଇଛି। ଏହା ଜଳାପୋଡ଼ା ଆଘାତ ପରିଚାଳନା କ୍ଷେତ୍ରରେ ବିଶେଷ ପ୍ରଶିକ୍ଷଣ ପାଇଁ ରହିଥିବା ଚାହିଦାକୁ ପ୍ରତିଫଳିତ କରୁଛି ବୋଲି ଡ. ଗିରି ସୂଚନା ଦେଇଥିଲେ।
ଏହି ଅବସରରେ ଏମ୍ସ ଭୁବନେଶ୍ୱରର ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ଅଂଶଗ୍ରହଣକାରୀ ଡାକ୍ତରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏମ୍ସ ଭୁବନେଶ୍ୱରର ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ସଦସ୍ୟମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେମାନଙ୍କ ମଧ୍ୟରେ ଡ. ସଞ୍ଜୟ କୁମାର ଗିରି, ଡ. ଏସ୍. ସୁବା, ଡ. ଅମିୟ କୁମାର ବାରିକ, ଡ. ଏ. କାନୁନ୍ଗୋ, ଡ. ଏସ୍. ଏସ୍. ବେହେରା, ଡ. ଦେବୀଶ୍ରୀ ଦାସ, ଡ. ତରୁଣ କୁମାର ପାତ୍ର, ଡ. ଶିଖା ଜୈସୱାଲ, ଡ. ଜୟନ୍ତ କୁମାର ମିତ୍ର, ଡ. ବିଜୟିନୀ ବେହେରା, ଡ. ସିନ୍ଧୁ ସୁଧା ସାହୁ ଏବଂ ସଞ୍ଜୀବ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
ଜଳାପୋଡ଼ା ଦୁର୍ଘଟଣା ସମୟରେ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ଡ. ଗିରି ପରାମର୍ଶ ଦେଇଛନ୍ତି ଯେ, ପୋଡ଼ିଯାଇଥିବା ସ୍ଥାନକୁ ତୁରନ୍ତ ଚାଲୁଥିବା ଟ୍ୟାପ୍ ପାଣି ତଳେ ୨୦ ମିନିଟ୍ ପର୍ଯ୍ୟନ୍ତ ରଖି ଥଣ୍ଡା କରିବା ଉଚିତ। ଆଘାତପ୍ରାପ୍ତ ସ୍ଥାନରେ ଟୁଥପେଷ୍ଟ, ତେଲ, କାଳି କିମ୍ବା ବରଫ ଲଗାଇବା ଅନୁଚିତ। କ୍ଷତ ସ୍ଥାନକୁ ପରିଷ୍କାର କପଡ଼ାରେ ଢାଙ୍କି ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇବା ଆବଶ୍ୟକ। ଏଥିସହ ମୃତ୍ୟୁ ପରେ ଚର୍ମଦାନ ଦ୍ୱାରା ଗୁରୁତର ଜଳାପୋଡ଼ା ଆଘାତପ୍ରାପ୍ତ ରୋଗୀଙ୍କ ଚିକିତ୍ସାରେ ସହାୟତା ମିଳିବା ସହ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ।


