ସମୀକ୍ଷା ବ୍ୟୁରୋ
ଘଟଣାଟି ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ହେଲେ ଏପରି ଅବିଶ୍ବାସନୀୟ ଘଟଣାଟି ସଂପୂର୍ଣ୍ଣ ସତକଥା। 74 ବର୍ଷ ବୟସରେ ଜଣେ ମହିଳା ଗର୍ଭବତୀ ହୋଇ ଜନ୍ମ ଦେଇଛନ୍ତି ଏକାଥରେ ଜାଆଁଳା ଛୁଆ। ବାହାଘରର 52 ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳକୁ ଶିଶୁଟିଏ ଆସିପାରି ନ ଥିଲା। ସେଥିପାଇଁ ଉଭୟ ସ୍ବାମୀସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ। ମାତ୍ର ଭଗବାନଙ୍କ ଆର୍ଶିବାଦରୁ ଏବେ ସ୍ବାମୀସ୍ତ୍ରୀଙ୍କ କୋଳକୁ ବୁଢା ବୟସରେ ମିଳିପାରିଛି ଛୁଆ। ତାପୁଣି ଦୁଇଟି ଛୁଆ। ଏପରି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଠର ଜିଲ୍ଲାରେ। ମହିଳାଙ୍କ ନାମ ହେଉଛି ମାଙ୍ଗାୟାମ୍ମା ଏବଂ ସ୍ବାମୀଙ୍କ ନାମ ହେଉଛି ୟାରାମ୍ମାଟ୍ଟି ରାଜା ରାଓ। ଉଭୟ 1962 ମସିହା ମାର୍ଚ୍ଚ 22 ତାରିଖରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳରେ ଛୁଆଟିଏ ନ ଥିବାରୁ, ପରିବାରର ଭବିଷ୍ୟତ ଚିନ୍ତା କରି ସେମାନେ ଦୁଃଖରେ ଥିଲେ। ହେଲେ ହଠାତ ଜାଣିଲେ ଯେ ତାଙ୍କ ପଡୋଶୀ ଘରର ମହିଳା 55 ବର୍ଷରେ କୃତ୍ରିମ ଉପାୟରେ ଗର୍ଭବତୀ ହୋଇଛନ୍ତି। ତାଙ୍କଠାରୁ ସବୁ ଖବର ନେଇ ଉଭୟ ସ୍ବାମୀସ୍ତ୍ରୀ ଗୁଣ୍ଠୁରରେ ଥିବା ଅହଲ୍ୟା ନସିଂ ହୋମ ସହିତ ଯୋଗାଯୋଗ କଲେ। ନସିଂ ହୋମ ତରଫରୁ ସ୍ବାମୀଙ୍କ ଶୁକ୍ରାଣୁ ସଂଗ୍ରହ କରାଯାଇ ଗର୍ଭରେ ରୋପଣ କରାଗଲା। ଏହାପରେ ମାଙ୍ଗାୟାମ୍ମା ଗର୍ଭବତୀ ହୋଇ ସେହି ନର୍ସିଂ ହୋମରେ 9 ମାସ ଧରି ରହିଲେ। ସେଠାରେ ଡାକ୍ତର ଶନକାୟାଲ ଏବଂ ଡାକ୍ତର ଉମାଶଙ୍କର ତତ୍ବାବଧାନରେ ମହିଳାଙ୍କ ଦାୟିତ୍ବ ନିଆଗଲା। ସଫଳତାର ସହ ଗତ ମଙ୍ଗଳବାର ଦିନ ମାଙ୍ଗାୟାମ୍ମା ଜାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ଏହି ବୟସରେ ସେ ଜାଆଁଳା ଶିଶୁ ଜନ୍ମ ଦେବାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି।