ସମୀକ୍ଷା ବ୍ୟୁରୋ
ସେପ୍ଟେମ୍ବର ୧ରୁ ଦେଶରେ ସଂଶୋଧିତ ନୂତନ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଏହାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି । ଏହି ନିୟମ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବାର ଦ୍ବାରା ପୂର୍ବାପେକ୍ଷାଠାରୁ ୧୦ଗୁଣ ଅଧିକ ଜରିମାନା ଦେବାକୁ ପଡୁଛି । ଏହି ନୂତନ ଟ୍ରାଫିକ୍ ନିୟମକୁ ନେଇ ଉତ୍ତରପ୍ରଦେଶର ଆଗରା ଥାନା ନିକଟସ୍ଥ ଏତ୍ମାଦୌଲ୍ଲା କ୍ଷେତ୍ରଠାରେ ଜଣେ ପିତା ତାଙ୍କ ନାବାଳାକ ପୁତ୍ରକୁ ଘରେ ବନ୍ଦୀ କରିଛନ୍ତି । ଯଶଓ୍ବନ୍ତନଗରର ଅଞ୍ଚଳରେ ରହୁଥିବା ଧର୍ମ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କର ଏକମାତ୍ର ପୁତ୍ର ମୁକେଶର ଜିଦ୍ ପାଇଁ ଦୁଇ ବର୍ଷ ପୂର୍ବେ ଏକ ମୋଟରସାଇକେଲ୍ କିଣିଥିଲେ । ଘରେ ବାଇକ୍ ଦେଖି ତାଙ୍କ ନାବାଳିକ ପୁତ୍ର ଏହି ଗାଡ଼ି ଚଲାଉଥିଲା । ଧର୍ମ ସିଂହ କାମକୁ ଯିବା ପରେ ତାଙ୍କ ପୁତ୍ର ମୁକେଶ ଗାଡ଼ି ନେଇ ବୁଲୁଥାଏ । ହଠାତ୍ ସଂଶୋଧିତ ନୂତନ ମୋଟର ଯାନ ଆଇନ୍ ଲାଗୁ ହୋଇଯିବା ପରେ ନିମ୍ନ ମଧ୍ୟବର୍ଗୀୟ ପରିବାରର ଧର୍ମ ସିଂହ ଜରିମାନାକୁ ଡରି ନାବାଳକ ପୁତ୍ରର ଗାଡ଼ି ଚଳାଇବା ଉପରେ ପ୍ରତିବନ୍ଧକ ଲଗାଇବା ସହିତ ତାଙ୍କୁ ନଜରବନ୍ଦୀ କରି ରଖିଥିଲେ । କିନ୍ତୁ ମୁକେଶ୍ ତାଙ୍କ ପିତାଙ୍କ କଥାକୁ ନ ମାନିବାରୁ ବାଧ୍ୟ ହୋଇ ଧର୍ମ ସିଂ ତାଙ୍କ ପୁତ୍ରକୁ ଘରେ ବନ୍ଦୀ କରି ରଖିଥିଲେ ।
ମୁକେଶ ଘରେ କିଛି ସମୟ ବନ୍ଦ ହୋଇ ରହିବା ପରେ ପୁଲିସ୍କୁ ଫୋନ୍ କରି ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସେହି ଗୃହରୁ ମୁକ୍ତ କରିଥିଲେ । ତେବେ ପିତା ଓ ପୁତ୍ର ଉଭୟଙ୍କୁ ଥାନାରେ ରଖି ବୁଝାଇ ସୁଝାଇବା ପରେ ଉଭୟ ଘରକୁ ଫେରିଥିଲେ । ତେବେ ଧର୍ମ ସିଂହଙ୍କ ମତରେ ତାଙ୍କ ପୁତ୍ର ନାବାଳାକ ହୋଇଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ । ଏପରି ଅବସ୍ଥାରେ ଗାଡ଼ି ଚଲାଇବା ଦ୍ବାରା ଜରିମାନାକୁ ନେଇ ଧର୍ମ ସିଂହ ଡରି ଯାଇ ତାଙ୍କ ପୁତ୍ରକୁ ଗୃହ ବନ୍ଦୀ କରିଥିଲେ । ସେହିପରି ମୁକେଶ୍ଙ୍କ କହିବାନୁଯାୟୀ ତାଙ୍କ ପିତା ବାଇକ୍ ଚଳାଇବା କାରଣରୁ ତାଙ୍କୁ ଘରେ ବନ୍ଦ କରି ରଖିଥିଲେ ।