ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ରାଜନୀତି ଏବେ ବେଶ୍ ସରଗରମ । ବିଜେପି ଏହି ପ୍ରଦୂଷଣ ପାଇଁ କେଜ୍ରୀଓ୍ବାଲା ସରକାରଙ୍କୁ ଦାୟୀ କରିଛି । ପ୍ରଦୂଷଣ ପାଇଁ ଦିଲ୍ଲୀଠାରେ ଆଶୋକ ରୋଡ୍ଠାରୁ ରାଜଘାଟ ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରା କରାଯାଇଛି । ଏହି ଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ୍ ନକ୍ଭୀ ଓ ବିଜେପି ରାଜ୍ୟସଭା ସାଂସଦ ବିଜୟ ଗୋଏଲ୍ ସାମିଲ୍ ହୋଇଥିଲେ । ସାଇକେଲ ଯାତ୍ରା ଅବସରରେ ଏହି ଦୁଇ ନେତା ମୁହଁରେ ମାସ୍କ ପିନ୍ଧି ରାଜଘାଟ ପର୍ଯ୍ୟନ୍ତ ସାଇକେଲ ଚଲାଇଛନ୍ତି । ବିଜୟ ଗୋଏଲ୍ ପ୍ରଦୂଷଣ ପାଇଁ କେଜ୍ରୀଓ୍ବାଲ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ, ସରକାର ପାଞ୍ଚ ବର୍ଷ ଭିତରେ ପ୍ରଦୂଷଣ ରୋକିବା ପାଇଁ କିଛି କାମ କରିନାହାନ୍ତି । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ଥଣ୍ଡା ସମୟରେ ଦିଲ୍ଲୀଠାରେ ପ୍ରଦୂଷଣର ସ୍ତର ବହୁ ମାତ୍ରାରେ ବଢିଯାଉଛି । ସେହିପରି ଦିଲ୍ଲୀ ସରକାରଙ୍କ ଅଡ – ଇଭିନ୍ ନିଷ୍ପତ୍ତିକୁ ମଧ୍ୟ ଭୁଲ୍ ବୋଲଇ କହିଛନ୍ତି ବିଜୟ ଗୋଏଲ୍ । ମୁଖତାର୍ ଅବ୍ବାସ ନକ୍ଭୀ କହିଛନ୍ତି ଯେ, ସରକାର ପ୍ରଦୂଷଣ ରୋକିବାରେ କିଛି କାର୍ଯ୍ୟ କରିନାହାନ୍ତି । ଏବେ ଏହି ଅଡ୍-ଇଭିନ୍ ଦ୍ବାରା କିଛି ହେବ ନାହିଁ । ଏହି ନିଷ୍ପତ୍ତିକୁ ନେଇ ବିଜୟ ଗୋଏଲ୍ କେଜରୀଓ୍ବାଲଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏହି ଅଡ୍-ଇଭିନ୍ ଏକ ଛଲନା । ପ୍ରଦୂଷଣ କମ କରିବା ବାହାନରେ ସରକାର ନିଜର ପ୍ରଚାର କରୁଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀଠାରେ ନଭେମ୍ବର ୪ଠାରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଅଡ-ଇଭିନ୍ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ଥର ଏହି ନିଷ୍ପତ୍ତିରେ ସିଏନ୍ଜି ଗାଡ଼ିକୁ ମଧ୍ୟ କୋହଳ କରାଯାଇନାହିଁ ।