ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚ୍ର ବିଜୟ ଦ୍ବାରରେ ପହଞ୍ଚିଛି ଭାରତ । ସିରିଜ୍ କ୍ଲିନ୍ ସୁଇପ୍ରୁ ମାତ୍ର ଦୁଇ ଓ୍ବିକେଟ୍ ଦୂରରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଦୁଇ ଭାରତୀୟ ପେସର୍ ମହମ୍ମଦ ସାମି ଏବଂ ଉମେଶ ଯାଦବଙ୍କ ଅଗ୍ନିବର୍ଷୀ ବୋଲିଂ ଫଳରେ ଡ୍ରାଇଭର ସିଟ୍ରେ ରହିଛି ଭାରତ । 335 ରନ୍ ପଛରେ ରହିଥିବା ଦକ୍ଷିଣ ଆଫ୍ରିକା ସାମି ଏବଂ ଯାଦବଙ୍କ ବୋଲିଂର ସମ୍ମୁଖୀନ ହୋଇ ନପାରି ମାତ୍ର 36 ରନ୍ରେ 5 ଓ୍ବିକେଟ୍ ହରାଇଥିଲା । ଏହି ଚାପରୁ ମୁକୁଳି ନପାରି ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇବା ସହିତ ଖେଳ ଶେଷ ବେଳକୁ 132 ରନ୍ରେ 8ଟି ଓ୍ବିକେଟ୍ ହରାଇଛି । ଭାରତ ପକ୍ଷରୁ ମହମ୍ମଦ ସାମି 10 ରନ୍ ବିନିମୟରେ 3ଟି ଏବଂ ଉମେଶ ଯାଦବ 35 ରନ୍ରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ଜାଡେଜା ଏବଂ ଅଶ୍ବିନ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଥେନସ୍ ଡି ବ୍ରୁଇନ୍ ସର୍ବାଧିକ 30 ରନ୍ ସଂଗ୍ରହ କରିଛନ୍ତି ।