ବଦଳୁଥିବା ମହାରାଷ୍ଟ୍ର ରାଜନୀତି ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଛି : ଦିଗ୍‌ବିଜୟ ସିଂ

Published: Nov 24, 2019, 11:09 am IST

ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ସମସ୍ତଙ୍କୁ ଚକିତ କରିଛି । ରାତାରାତି ମହାରାଷ୍ଟ୍ରରେ ସରକାର ଗଠନ କରି ଶନିବାର ସକାଳୁ ସକାଳୁ ଦେବେନ୍ଦ୍ର ଫଡ୍‌ନଭିସ୍‌ ଓ ଅଜିତ୍‌ ପାଓ୍ବାର୍‌ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ, ଏନସ୍‌ପି, କଂଗ୍ରେସ ଶିବସେନାକୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ଦର୍ଶାଇଥିବାବେଳେ ଅପରପକ୍ଷେ ଏନ୍‌ସିପିର ଅଜିତ୍‌ ପଓ୍ବାର ବିଜେପିକୁ ସମର୍ଥନ କରି ରାଜନୀତି ଗଣିତକୁ ପୂରା ଓଲଟା କରିଦେଇଛନ୍ତି । ତେବେ ମହାରାଷ୍ଟ୍ରରେ ଚାଲିଥିବା ଏପରି ଘଟଣାକ୍ରମକୁ ଲକ୍ଷ୍ୟ କରି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଏହି ପରିବର୍ତ୍ତନ କିନ୍ତୁ ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଦେଇଛି । ସେ ଟୁଇଟ୍‌ କରି କହିଛନ୍ତି ଯେ, ଏନ୍‌ସିପିର ୫୪ରୁ ୫୩ ଜଣ ଶରଦ ପାଓ୍ବାରଙ୍କ ସହ ଅଛନ୍ତି । ଅଜିତ୍‌ ଏକା ହୋଇଯାଇଛନ୍ତି । ଏବେ ଶରଦଙ୍କ ଉତ୍ତରାଧିକାରୀ ସୁପ୍ରିୟା ସୁଲେ । ସେଥିପାଇଁ ସୁପ୍ରିୟାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଶରଦଙ୍କ ଉତ୍ତରାଧିକାରୀ ନେଇ ଅଜିତ୍‌ ଓ ସୁପ୍ରିୟାଙ୍କ ମଧ୍ୟରେ ବିବାଦ ରହିଥିଲା । ସେହିପରି ସୁପ୍ରିୟା ମଧ୍ୟ ଅଜିତ୍‌ଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଲୋକଙ୍କ ସେବା ପାଇଁ ନୂଆ ଦଳ ଗଠନ କରିବା ନେଇ ନିଜ ହ୍ବାଟସ୍‌ଆପ୍‌ରେ ଷ୍ଟାଟସ୍‌ରେ ଲେଖିଛନ୍ତି । (ଏଜେନ୍ସି)

Related posts