37 ବର୍ଷୀୟ ଟେଲି ଅଭିନେତା କୁଶଲ୍‌ ପଞ୍ଜାବୀଙ୍କ ମୃତ୍ୟୁ

Published: Dec 27, 2019, 12:01 pm IST

ମୁମ୍ବାଇ, 27/12: ଟେଲି ଅଭିନେତା କୁଶଲ୍‌ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି। ଗତକାଲି ଅଧରାତ୍ରିରେ ତାଙ୍କ ଘରୁ କୁଶଲଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଛି। 37 ବର୍ଷ ବୟସରେ କୁଶଲ୍‌ଙ୍କ ମୃତ୍ୟୁ ହୋଇଛି। କୁଶଲଙ୍କ ଆକସ୍ମିକ ନିଧନରେ ଟିଭି କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନ 1 ଘଟିକାରେ ତାଙ୍କର ଶବ ସଂସ୍କାର କରାଯିବ । କୁଶଲ୍‌ ପଞ୍ଜାବୀଙ୍କ ମୃତ୍ୟୁରେ ଅଭିନେତା କରଣବୀର୍‌ ବୋହରା ଗଭୀର ଶୋକ ପ୍ରକଟ କରିବା ସହ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ତେବେ କୁଶଲଙ୍କ ଆତ୍ମହତ୍ୟା ପଛର କାରଣ ଏବେ ଜଣାପଡ଼ି ନାହିଁ । କୁଶଲଙ୍କୁ ଶେଷଥର ପାଇଁ ସିରିୟଲ୍‌ ‘ଇସ୍କ ମେଁ ମରଜାଓ୍ବାଁ’ରେ ଦେଖିବାକୁ ମିଳିଥିଲା। ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା କୁଶଲ୍‌ ପରବର୍ତ୍ତୀ ସମୟରେ ଟେଲି ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ସେ ଅନେକ ଧାରାବାହିକ, ଫିଲ୍ମ ଓ ଶୋ’ରେ ମଧ୍ୟ କାମ କରିସାରିଛନ୍ତି। ୟୁରୋପିଆନ୍‌ ଯୁବତୀଙ୍କୁ ବିବାହ କରିଥିବାବେଳେ ତାଙ୍କର 4 ବର୍ଷର ଏକ ପୁଅଟିଏ ମଧ୍ୟ ଅଛି । ତେବେ ମିଳିଥିବ ସୂଚନା ଅନୁସାରେ ବୈବାହିକ ସମ୍ପର୍କକୁ ନେଇ ବ୍ୟସ୍ତ ବ୍ୟତିବ୍ୟସ୍ତ ରହିଥିଲେ କୁଶଲ୍‌ । ପୋଲିସ ତାଙ୍କ ସୁଇସାଇଡ୍‌ ନୋଟ୍‌ ଜବତ କରିଛି । (ଏଜେନ୍ସି)

Related posts