ସଚିବ ସ୍ତରରେ ବଡଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର

Published: Jan 2, 2020, 1:43 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ସଚିବ ସ୍ତରରେ ଅଦଳବଦଳ କରାଯାଇଛି । କୃଷି ଉତ୍ପାଦନ କମିଶନର ରହିଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । 1998 ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ମହାପାତ୍ର ପୂର୍ବରୁ କୃଷି ଉତ୍ପାଦନ କମିଶନର ରହିଛନ୍ତି । ସେହିପରି ସରକାରଙ୍କ ପ୍ରମୁଖ ସଚିବ ରହିଥିବା 1993 ବ୍ୟାଚ୍‌ର ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ସ୍ବାସ୍ଥ୍ୟ ସଚିବ ରହିଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ପରିବହନ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଏବଂ ଅତିରିକ୍ତ ଭାବରେ ରାଉରକେଲା ସ୍ମାର୍ଟସିଟି ସିଇଓ ରହିଥିବା ୟୁଦୁଲା ବିଜୟଙ୍କୁ ସରକାର ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଦାୟିତ୍ବ ପ୍ରଦାନ କରିଥିବା ବେଳେ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମହାନଗର ନିଗମ କମିଶନର ଭାବରେ ନିଯୁକ୍ତ କରିଛନ୍ତି । ଏହାସହିତ ଶ୍ରୀ ପରିଡା ଅତିରିକ୍ତ ଭାବରେ ରାଉରକେଲା ସ୍ମାର୍ଟସିଟି ସିଇଓ ଦାୟିତ୍ବ ନିର୍ବାହ କରିବେ । ସେହିପରି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଓଏସ୍‌ଆରଟିସି ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ପୂର୍ବରୁ ଶ୍ରୀ ବୋଥ୍ରା ସେସୁର ସିଇଓ ଏବଂ ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି ।

Related posts