ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳରେ ବିଳମ୍ବ ସମ୍ଭାବନା : ରେଳବାଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

Published: Jan 3, 2020, 8:35 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବିଳମ୍ବିତ ହେବାର ସମ୍ଭାବନା ଦେଖାଦେଇଛି । ଫଳରେ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ । 139 ନମ୍ବରରେ କଲ୍‌ କରି ଯାତ୍ରୀମାନେ ସବିଶେଷ ତଥ୍ୟ ହାସଲ କରିପାରିବେ ବୋଲି ଜଣାପଡିଛି । ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ଟ୍ରେନ ଚଳାଚଳ କରିବାକୁ ଏବଂ ଦରକାର ହେଲେ ଟ୍ରେନ ମାନଙ୍କର ବେଗ କମାଇବାକୁ ରେଳବାଇ ପକ୍ଷରୁ ଚାଳକ ମାନଙ୍କୁ ନିର୍ଦେଶ ଦିଆଯାଇଛି I

ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ ଗୁଡିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଆଶଙ୍କା ଅଧିକ I ବହୁ ଗୁରୁତ୍ୱପୁର୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ ଓ ରାଜଧାନୀ ଟ୍ରେନ ଗୁଡିକର ଚଳାଚଳ ସମୟରେ ପ୍ରଭାବିତ ହେବ I ଏହି ସମୟରେ ଟ୍ରେନ ଗୁଡିକର ମାତ୍ରାଧିକ ବିଳମ୍ବ ଯୋଗୁଁ ସଂଯୋଗ ଟ୍ରେନ ଗୁଡିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି I ସେହିପରି ଟିକଟ କରିବା ସମୟରେ ନମ୍ବର ପଞ୍ଜୀକୃତ କରିଥିଲେ ଟ୍ରେନ୍‌ର ବିଳମ୍ବ ନେଇ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହା ସହିତ 139 ନମ୍ବରରେ ମଧ୍ୟ ଯାତ୍ରୀ ସୂଚନା ପାଇପାରିବେ ଏବଂ ଯାତ୍ରୀଙ୍କ ସମୟ ଅପଚୟ ହେବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

Related posts